ଶ୍ରୀରାମ ବନଗମନ - ବାଳକୃଷ୍ଣ ଗ୍ରନ୍ଥାବଳୀ

ଶ୍ରୀରାମ ବନଗମନ - ବାଳକୃଷ୍ଣ ଗ୍ରନ୍ଥାବଳୀ

ଶ୍ରୀରାମ ବନଗମନ

ବାଳକୃଷ୍ଣ ଗ୍ରନ୍ଥାବଳୀ

ଶ୍ରୀ ବାଳକୃଷ୍ଣ ମହାନ୍ତି

 

ପ୍ରଥମ ଅଙ୍କ

ପ୍ରଥମ ଦୃଶ୍ୟ

ରାଜସଭା

( ରାଜା ଦଶରଥ, ବଶିଷ୍ଠ, ସୁମନ୍ତ୍ର ଓ ସଭାସଦ୍‌ ବୃନ୍ଦ )

 

ଦଶରଥ-

ଗୀତ

( କହ ମନ୍ତ୍ରୀବର ବୃତ୍ତେ )

 

କି ଆନନ୍ଦେ ମାତିଅଛି

ଏ ପୁଣ୍ୟ ଅଯୋଧ୍ୟା ଧାମ ରେ ।

ଯୌବରାଜ୍ୟେ ଅଭିଷିକ୍ତ ହେବ

ମୋ ଅଲୀଳ ରାମ ରେ । ଘୋଷା ।

 

ସଚରାଚର ବ୍ରହ୍ମାଣ୍ଡ       ମହୀପତି ହେବେ ରୁଣ୍ଡ

ଜୟରାମ ଗାଇ ତୁଣ୍ଡେ କରିବେ ଯଶ ଘୋଷଣ । ୧ ।

ବାଳ ବୃଦ୍ଧ ଯୁବା ନାରୀ      ନାଚନ୍ତି ରାମ ସୁମରି

ଭାଟ କେବଳ ଭିକାରୀ ସରବେ ହୋନ୍ତି ନିପୁଣ । ୨ ।

ବ୍ରହ୍ମାଣ୍ଡ ବିଜୟୀ ପୁତ୍ର      ହେଉ ରାଜ୍ୟେ ଅଭିଷିକ୍ତ

ହେବ ଏ ନେତ୍ର ପବିତ୍ର କାଳକୃଷ୍ଣର ବଚନ । ୩ ।

 

 

ତବ ଆଶୀର୍ବାଦୁ ଗୁରୋ ସର୍ବସ୍ଥାନେ ସର୍ବଦିଗେ ଉଡ଼ାଇଛି ବତଜୟ କେତନ, ଚାହୁଁ ଚାହୁଁ ଅତୀତ ହୋଇଛି ସେହି କାଳ । ନାହିଁ ମୋ ବୟସ ଆଉ ଚଳାଇବି ରାଜ ସିଂହାସନ । ଭାବିଛି ମୁଁ ଅବସର ନେବାକୁ ମନରେ । ବଡ଼ ଭାଗ୍ୟବାନ ମଣୁଛି ମୁଁ ଆଜି । କୁଳର ପ୍ରଦୀପ ମୋର ରାମଚନ୍ଦ୍ର ହସ୍ତେ ରାଜ୍ୟଭାର କରିଣ ଅର୍ପଣ, ନିଶ୍ଚିନ୍ତ ହୋଇବି ମୁହିଁ ଏ ବୃଦ୍ଧ ବୟସେ । ନ ଲାଗିବ ପ୍ରଜାତନ୍ତ୍ର ମୋତେ ପବିତ୍ର ହୋଇବ ମୋର ଅଯୋଧ୍ୟା ଭୁଖଣ୍ଡ । ନିଜେ ମଧ୍ୟ ଧନ୍ୟ ହେବି, ହେବେ ସର୍ବପ୍ରଜା ବୃନ୍ଦ ଆବାଳବୃଦ୍ଧବନିତା । ପ୍ରଶଂସନ୍ତି ରାମେ ଶୁଣେ ଅହରହ ରୂପେ, ଗୁଣେ, ବିଦ୍ୟାରେ, ବୁଦ୍ଧିରେ ଯୋଗ୍ୟ ସେହି ରାଜ ପଦବାଚ୍ୟେ । ଆପଣଙ୍କ ମନୋଗତ ଭାବ ନ କଲେ ପ୍ରକାଶ, ବୃଥା ହେବ ମୋ କଳ୍ପନା ସର୍ବ ।

 

 

ବଶିଷ୍ଠ-

ମହାରାଜ ! ରାମଚନ୍ଦ୍ର ଅଯୋଧ୍ୟାର ଯୌବରାଜ୍ୟେ ହେଲେ ଅଭିଷିକ୍ତ ଝଡ଼ିବ ନନ୍ଦନବନୁଁ ଦିବ୍ୟ ପାରିଜାତ । ବଢ଼ିବ ଦ୍ୱିଗୁଣିତ ହୋଇ ତବ ସୁଖଠାରୁ ଆମ୍ଭ ସୁଖରାଶି-

 

 

ସଭାସଦ୍‌-

ପ୍ରକୃତ ପ୍ରସ୍ତାବ । ଏ ପ୍ରସ୍ତାବ ଆମ୍ଭମାନଙ୍କ ମନକୁ ଉତ୍ତମ ବୋଧହେଲା ।

ସୁମତ୍ର-

ତେବେ ଶୁଭକାର୍ଯ୍ୟ ଶୀଘ୍ର ଆୟୋଜନ କରିବା ଦର୍କାର ।

 

 

ବଶିଷ୍ଠ-

ଏବେ ଶୁଣନ୍ତୁ ରାଜନ, କାଲି ଶୁକ୍ଳପକ୍ଷ ଗୁରୁବାର ପୌଷ ପୂର୍ଣ୍ଣିମାରେ ଅଭିଷେକ କରାଅ ଶ୍ରୀରାମେ । ପୁଣି ମନ୍ତ୍ରୀରେ ଆଦେଶନ୍ତୁ ନୃପ, ଅଭିଷେକ ସାମଗ୍ରୀ ସକଳ ବିଧିମତେ ଆୟୋଜନ ହେବ ଆଜିଠାରୁ । ପରେ ଯାହା ଯାହା ଦ୍ରବ୍ୟ ଲୋଡ଼ା ହେବ କହିବି ସମସ୍ତ ।

 

 

ଦଶରଥ-

ମନ୍ତ୍ରି ! ଶୁଣିଲ ତ ବଶିଷ୍ଠଙ୍କ କଥା । ସେ ସମ୍ବନ୍ଧେ ଯାହା ଯାହା ଲୋଡ଼ା ବିଧିମତେ କର ଆୟୋଜନ, ପୁଣି ପଠାଇଣ ଦୂତେ ନଗରର ସ୍ଥାନେ ସ୍ଥାନେ ଦିଆଇ ଘୋଷଣା, ଜଣାଇବ ପ୍ରଜାଗଣେ, ମାତନ୍ତୁ ଆନନ୍ଦେ ସର୍ବେ ଅଭିଷେକୋତ୍ସବେ । ନଗ୍ରେ ନଗ୍ରେ, ବୁଲି ନିମନ୍ତ୍ରୀ ଆଣିବ ସର୍ବ ରାଜନ୍ୟମଣ୍ଡଳି ।

 

 

ସୁମତ୍ର-

ମହାରାଜ ! ଯାଉଛି ମୁଁ ଅବିଳମ୍ବେ କରିବି ସମସ୍ତ ଯୋଗାଡ଼ ।

ଦଶରଥ-

ମହର୍ଷେ ! ମୁଁ ବର୍ତ୍ତମାନ ଅନ୍ତଃପୁରକୁ ଯାଉଛି, ଆପଣ ଏ ଶୁଭ ସମ୍ବାଦ ରାମଙ୍କୁ ଜଣାଇ ଦିଅନ୍ତୁ ।

 

 

ବଶିଷ୍ଠ-

କିଛି ଚିନ୍ତା ନାହିଁ ମହାରାଜ ।

( ସର୍ବେ ପ୍ରସ୍ଥାନ )

————————

 

ଦ୍ୱିତୀୟ ଦୃଶ୍ୟ

 

ଦୂତ-

ଗୀତ

 

ଆସ କିଏ ଦେଖିବ ଆସ

ଏ କାଳ ମଉଜ ସରିଗଲା ରେ ।

ତୃତୀୟରୁ ଖସି ଚତୁର୍ଥକୁ ଗଲେ

ପଞ୍ଚମକାଳକୁ ଗଲା ଗଲା ରେ । ପଦ ।

 

ଆଦ୍ୟେ ମାତ ଗର୍ଭେ ସଞ୍ଚରି

ଜପୁଥିଲୁ ତୁ ହରି ହରି

ସେ ନରକପୁରୀ ହରି କଲେ ପାରି,

ପାପ ପଙ୍କେ ଜଡ଼ି ହେଜ ଗଲା ରେ । ୧ ।

 

ମାତୃସ୍ତନ କଲୁ ତୁ ପାନ,      ଧୂଳି ଖେଳେ କାଟିଲୁ ଦିନ

ସେ କାଳ କଥାକୁ ନ କଲୁ ସ୍ମରଣ

ତୃତୀୟରେ ବାପ ବାହା କଲା ରେ । ୨ ।

 

ମୋହମାୟା ଭ୍ରମରେ ପଡ଼ି      କର୍ତ୍ତବ୍ୟକୁ ଗଲୁ ତୁ ହୁଡ଼ି

କାମିନୀ କାଞ୍ଚନେ ବଶ ହୋଇ ତୁହି

କୃଷ୍ଣ ନାମ ଗୋଟି ନ କଲୁ ମାଳା ରେ । ୩ ।

 

ନବ ଯଉବନ କି କୋଳେ       ମଜ୍ଜିଗଲୁ ତୁ ରସ ଭୋକେ

ଚତୁର୍ଥ ପଞ୍ଚମେ ପଡ଼ି ଜରା ଜୀର୍ଣ୍ଣେ

ବାଳକୃଷ୍ଣ ବୋଲେ ମଲା ମଲା ରେ । ୪ ।

 

 

 

ମନ୍ତ୍ରୀ-

ଦୂତ ! କାର୍ଯ୍ୟଛାଡ଼ି ଯାଇଥିଲୁ କାହିଁ ? ଶୁଣ ଏବେ ରାଜାଙ୍କ ଆଦେଶ । କାଲି ରାମଚନ୍ଦ୍ର ଯୌବରାଜ୍ୟେ ହେବେ ଅଭିଷିକ୍ତ, ସେ ଲାଗି ରାଜ୍ୟରେ ଦିଆଅ ଘୋଷଣା । କାଲି ପ୍ରଭାତରୁ ଯେ ଯାହାର ନିତ୍ୟକର୍ମ ସାରି ଅଭିଷେକୋତ୍ସବେ ହୁଅନ୍ତୁ ଉଦ୍ୟୋଗୀ-

 

 

ଦୂତ-

ଆରେ ବାଃ, ବାଃ, ଯାଉଛି ଆଜ୍ଞା ।

( ପ୍ରସ୍ଥାନ )

————————

 

ତୃତୀୟ ଦୃଶ୍ୟ

( ବଶିଷ୍ଠ ସହ ଶ୍ରୀରାମଚନ୍ଦ୍ର )

ରାମ-

( ନମସ୍କାର କରି ) କିବା କାର୍ଯ୍ୟେ ଡକାଇଲେ ଗୁରୋ, କି ଆଦେଶ କରିବି ପାଳନ ଆଦେଶନ୍ତୁ ଅଧମ ସନ୍ତାନେ ।

ବଶିଷ୍ଠ-

ବତ୍ସରାମ ! କାଲି ପ୍ରାତେ ତୋ ମସ୍ତକେ ଦେଇ ରାଜ୍ୟଭାର ଅବ୍ୟାହତି ନେବେ ରାଜା ଅଯୋଧ୍ୟା କଟକୁ, ସୀତା ସହ ସିଂହାସନେ ଦେଖି ତୋତେ କାଲି କରିବେ ନେତ୍ର ପବିତ୍ର ସମସ୍ତ ପ୍ରଜାଏ ।

 

 

ରାମ-

ମହର୍ଷେ ! ଶିରୀଷ ଫୁଲ କି କେବେ ସହେ କୁଳିଶ ଆଘାତ ! ଶୁଣି ଏ ବାରତା କିସ ଭାଷିବେ ପ୍ରଜାଏ । ପିତା ଆଗେ ଦଣ୍ଡ ଛତ୍ର ଧରିବ କେମନ୍ତେ ସୁତ, ଏ କଥା ନୁହେଁ ଶୋଭିତ ଜନ ସମାଜକୁ ।

 

 

ବଶିଷ୍ଠ-

ଭୀତ ନୁହ ବତ୍ସ ! କର ତାତ ଆଦେଶ ପାଳନ, ଅସୁନ୍ଦର ନୋହିବ ଦେଶକୁ ।

 

 

ରାମ-

ତବ ଆଶିଷରୁ ଗୁରୋ ପ୍ରାପ୍ତି ରାଜପଦ, ରାଜପଦ ନୁହେଁ ଅଟେ ସେ ମହାବିପଦ, ରାଜ୍ୟଭାର ବହିବା ଅସିଧାରରେ ଚାଲିବା, ଉଭୟ କଥାରେ କିଛି ନାହିଁଟି ପ୍ରଭେଦ ।

 

 

ବଶିଷ୍ଠ-

ପ୍ରୀତ ହେଲି ରାମଚନ୍ଦ୍ର, ବହୁକାଳେ ଫଳ ଫଳିଅଛି ଏତେଦିନେ । ମୋ ଆଶା ପାଦପେ, ଜନ୍ମାନ୍ଧ କି ପାଇଛି ତା ଚକ୍ଷୁ, ତବ ହେତୁ ସିନା ରାମ ! ଏତେ ଦିନେ ପୂରିଲା ମୋ ମନର କାମନା । କାଲି ଗୁରୁପୁଷ୍ୟା ନକ୍ଷତ୍ର ସଂଯୋଗେ ଦେଖିଲେ ତବ ଅଭିଷେକ ପବିତ୍ର ହୋଇବ ଆତ୍ମା, ନିଖିଳ ଅନ୍ତର । ବତ୍ସ ! ଯାଅ ଆଜି ସୀତା ସହ ରହ ଉପବାସେ ।

ରାମ-

ଯେ ଆଜ୍ଞା । ( ପ୍ରସ୍ଥାନ )

 

————————

 

ଚତୁର୍ଥ ଦୃଶ୍ୟ

ସ୍ୱର୍ଗପୁରୀ

(ଇନ୍ଦ୍ରାଦି ଦେବଗଣଙ୍କ ଉପବେଶନ)

ଇନ୍ଦ୍ର-

ଦେବବୃନ୍ଦ ! ଗୋଲୋକ ବିହାରୀ ଶ୍ରୀରାମ ଆମ୍ଭମାନଙ୍କ ରାକ୍ଷସ କବଳରୁ ମୁକ୍ତି କରିବା ନିମିତ୍ତ ସ୍ୱୟଂ ମରଲୋକରେ ଅବତୀର୍ଣ୍ଣ ହୋଇଛନ୍ତି । ସେଠାରେ ସେ ରାଜପୁତ୍ର, ରାତ୍ର ପାହିଲେ ରାଜ୍ୟରେ ଅଭିଷିକ୍ତ ହେବେ, ତେବେ ଆମ୍ଭମାନଙ୍କ ଦୁଃଖ କଣ ତାଙ୍କୁ ଆଉ ଲାଗିବ ।

 

 

ଚନ୍ଦ୍ର-

ବାସ୍ତବିକ କଥା, ରାମଚନ୍ଦ୍ର ରାଜା ହେଲେ ଆଉ ଆମ୍ଭମାନଙ୍କର କଥା ତାଙ୍କର ମନେ ପଡ଼ିବ ନାହିଁ ।

 

ଏଣେ ରାବଶ ସ୍ୱର୍ଗପୁରକୁ ଲୁଟ୍‌ପାଟ କରିବ ।

 

 

ବରୁଣ-

ଏଥିରେ ପ୍ରତିକାର କଣ କରିବାକୁ ହେବ, ହେଳାକଲେ କଷ୍ଟର ସୀମା ବଢ଼ୁଛି ।

କୁବେର-

ଚାଲ ତେବେ ବିଧାତାଙ୍କ ପାଶେ, ପ୍ରତିକାର ବିଧାନ କହିଦେବେ ସେହୁ ।

 

 

ନାରଦ-

ଜାଣେ ମୁହିଁ ଯୋଗମାୟାଙ୍କ ବ୍ୟତୀତ ନ ହେବେ କେହି ଏ କାର୍ଯ୍ୟେ ସକ୍ଷମ ।

ସମସ୍ତେ-

ତେବେ ତାଙ୍କୁ ସ୍ମରଣ କରାଯାଉ ।

 

(ଯୋଗମାୟାଙ୍କ ଆବିର୍ଭାବ ଓ ଅଭିବାଦନ)

 

 

ଯୋଗମାୟା-

କହ ଦେବବୃନ୍ଦ ! କି ନିମନ୍ତେ ହେଉଛ କାତର । କେଉଁ କାର୍ଯ୍ୟ ଘେନି ମୋତେ ସୁମରିଲେ ଏଥି, ଭାଷନ୍ତୁ ତାହା ନିର୍ବିଘ୍ନେ ମୁଁ କରିବି ସାଧନ ।

 

 

ଦେବଗଣ-

ଜଗତ ଜନନୀ ! ଅଯୋଧ୍ୟାରେ ଶ୍ରୀରାମଚନ୍ଦ୍ର ଯୌବରାଜ୍ୟେ ଅଭିଷିକ୍ତ ହେବାର ସମ୍ପୂର୍ଣ୍ଣ ଆୟୋଜନ ସରିଛି । ରାତ୍ର ପାହିଲେ ଅଯୋଧ୍ୟାରେ ରାଜା ହେବେ । ସେ ଯେ ନିତ୍ୟ ନିରଞ୍ଜନ ଗୋଲକ ବିହାରୀ, ଦେବତାମାନଙ୍କ କଷ୍ଟ ନିବାରଣାର୍ଥେ ମର୍ତ୍ତ୍ୟେ ଉପଗତ ହୋଇଛନ୍ତି । ସେ ଯେପରି ରାଜ୍ୟଭାର ଗ୍ରହଣରୁ ବଞ୍ଚିତ ହୁଅନ୍ତି ତହିଁର ପ୍ରତିକାର କର ।

 

 

ଯୋଗମାୟା-

ଏତ ଅତି ସାମାନ୍ୟ; ଏଥିପାଇଁ ନ ହୁଅ ଚିନ୍ତିତ । ଯାଉଛି ମୁଁ ପ୍ରବେଶିବି ସର୍ବାଦୌ ମନ୍ଥରା ହୃଦରେ, ତହିଁ ପରେ କୈକେୟୀଙ୍କ କଣ୍ଠତଟେ ବସି ସ୍ମରଣ କରାଇ ଦେବି ସେହି ଦେବାସୁର ଯୁଦ୍ଧର ଅଭିଷ୍ପିତ ଦୁଇଗୋଟି ବର । ପ୍ରଥମ ବରରେ ଭରତ ହେବ ଅଯୋଧ୍ୟାର ରାଜା, ଦ୍ୱିତୀୟେ ଚୌଦବର୍ଷ ବନବାସ ଯିବେ ରାମଚନ୍ଦ୍ର । ତାହାହେଲେ ମନସ୍କାମ ତବ ହୋଇବ ପୂରଣ ? ଯାଉଛି ମୁଁ । (ଯାଉ ଯାଉ ପଥେ) (ସ୍ଵଗତ) ଏଇ ତ ମନ୍ଥରାଦାସୀ ଆସୁଛି, ୟାରିଠାରେ ମୋର କୌଶଳ ପ୍ରୟୋଗ କରେ ।

(ପ୍ରସ୍ଥାନ)

————————

 

 

ପଞ୍ଚମ ଦୃଶ୍ୟ

ମନ୍ଥରା-

ମଲା ମୋର, ରାଇଜ ଯାକ କଣ ଚହଳ ପଡ଼ିଛି ଏ ଗୁରାଙ୍କ ଘରେ ମଡ଼ା ମରିଛି କି ? ଯାହା ମୁହଁରୁ ଶୁଣୁଛି ରାମ ରାମ । ଭରତର ନାମଟା ଧରିବାକୁ ଜିଭଟା ଛିଣ୍ଡି ପଡ଼ିଛି । ଯାଏ, ମହାଦେଈ ତେଣେ କଣ କରୁଛନ୍ତି ଦେଖେଁ ।

 

 

କୈକେୟୀ-

ଆହା; ଆଜି କି ଆନନ୍ଦ ଦିନ, ରାତି ପାହିଲେ କାଲି ରାମଚନ୍ଦ୍ର ଅଯୋଧ୍ୟା କଟକେଦଣ୍ଡଛତ୍ର ଧରାଇବ ଅଭିଷେକୋତ୍ସବ ଦେଖି ତାର ପବିତ୍ର ହୋଇବ ନିଶ୍ଚେଁ ଏ ପାତକୀ ନୟନ । କେତେ ଆଉ ବିଳମ୍ବ ଅଛି, ଏ କିଏ ମନ୍ଥରା ଆସୁଛି ପରା, ତା ମୁହଁ ଏପରି ଶୁଖିଲା ଦେଖାଯାଉଛି କାହିଁକି ?

 

 

ମନ୍ଥରା-

(ସ୍ୱଗତ) ସରିଲା, ସରିଲା, ଏତ କଣ ପ୍ରେମରେ ଉନ୍ମତ୍ତ ହେଉଛି କରେ କଣ-?

କୈକେୟୀ-

ମନ୍ଥରେ ! ଆଜି ଏତେ ବଡ଼ ଶୁଭଦିନରେ ତୁମ୍ଭର ମନଟା କାହିଁକି ଶୁଖିଲା ଦେଖାଯାଉଛି କଥା କଣ ।

 

 

ମନ୍ଥରା-

ଦେବି ! ତୁମ୍ଭର ଅକ୍ଷୟ ସୌଭାଗ୍ୟ ନଷ୍ଟ ହେବାର କାଣ୍ଡ ଜାଣିପାରି ମନଦୁଃଖ ମନରେ ମାରିରହିଛି, କାରଣ ତୁମ୍ଭ ଦୁଃଖରେ ମୋର ଦୁଃଖ, ତୁମ୍ଭ ସୁଖରେ ମୋର ସୁଖ । ତୁମ୍ଭେ ରାଜକୁଳରେ ଜନ୍ମ ହୋଇ ରାଜଧର୍ମର ଉଗ୍ରଭାବ ନ ବୁଝିପାରି ବୃଥା ପ୍ରଲୋଭନରେ ମାତିଥିବାରୁ ତାହା ଚେତାଇ ଦେବାପାଇଁ ଆସିଛି ।

 

 

କୈକେୟୀ-

ତେବେ ମୋର ଏପରି କି ସମୟ ପହଞ୍ଚିଛି, ମୁଁ ତ କିଛି ଜାଣି ପାରୁନାହିଁ ।

 

 

ମନ୍ଥରା-

‘‘ମୁଁ ମରୁଥାଇ ତୋରି ପାଇଁ, ତୋ ଚିତ୍ତରେ ଦୟା ଟିକିଏ ନାହିଁ ।’’ ତୁମ୍ଭ ଗେରସ୍ତ ଭାରତଙ୍କୁ ମାମୁଁ ଘରକୁ ପଠାଇ ଦେଇ ଏଣେ ରାମକୁ କାଲି ନିଷ୍କଣ୍ଟକ ରାଜ୍ୟରେ ଅଭିଷେକ କରାଇବେ, ୟା ସବୁ କାହିଁକି ବୁଝିବ ?

 

 

କୈକେୟୀ-

(ସହର୍ଷ ବଦନେ) ଆହା, କି ସୁନ୍ଦର କଥା ଦାସି ! ରାମଚନ୍ଦ୍ର ଯୁବରାଜ ହୋଇ ଅଯୋଧ୍ୟା ସିଂହାସନରେ ବସିବ । ଭରତ ମୋର ମାମୁଁ ଘରୁ ଆସି ଭାଇକୁ ଚାମର ଢାଳିବ । ଲକ୍ଷ୍ମଣ ଛତ୍ର ଧାରଣ କରି ଠିଆ ହୋଇଥିବ, ପୁଣି ଶତ୍ରୁଘ୍ନ ଆଲଟ ପକାଇବ । ଏ ତ ବହୁ ଭାଗ୍ୟର କଥା । ଭଗବାନ ତାହାର ମଙ୍ଗଳ କରନ୍ତୁ, ସେ ନିର୍ବିଘ୍ନରେ ରାଜ୍ୟ ସୁଚାରୁରୂପେ ପରିଚାଳନା କରୁ ।

 

 

ମନ୍ଥରା-

(ସକ୍ରୋଧେ) ହଁ ଗୋ ମହାଦେଇ ! ଯେତେବେଳେ ବିଧାତା ଦୁନିଆରେ ଦୁଃଖ ସୁଖ ବାଣ୍ଟୁଥିଲା ତମରି ପାଖରେ ସୁଖ ଟୋକାଇଟା ଝାଡ଼ିଦେଇ ଯାଇଛି । ସେଇଥି ପେଇଁ ତମ ମୁହଁରୁ ଅଚିନ୍ତା ହସ ବାହାରୁଛି । ମୁଁ ପୋଡ଼ା ମୁହିଁ ତମରି ଚିନ୍ତାରେ ପଡ଼ି ସଢ଼ି ଯାଉଛି ।

 

 

 

ଗୀତ

ମହାଦେଈ ଗୋ ସରିଲା ଗେଲ ଗରବ ।

ବୁଢ଼ାରାଜା ଫାନ୍ଦେ ପଡ଼ି ହରାଇଲ ସର୍ବ । ଘୋଷା ।

ସପତଣୀ ପୁତ୍ର ରାଜା,

ଦେଶେ ତୁ ପାଇବୁ ଲଜ୍ଜା,

କାଟୁଛି ମୋର କଲିଜା ହେଲାଟି ଦୁର୍ଯ୍ୟୋଗ । ୨ ।

 

 

 

ମହାଦେଇ ! ତେମେ ଏଡ଼ିକି ଅଯୋଗ୍ୟା, ଶୋକ ସାଗରରେ ବୁଡ଼ିବାକୁ ବସିଲଣି ତେବେ ବି ଚେତୁ ନା । ମୁଁ ଦୁଃଖ କରିବି ନା ତମ କଥା ମନେ କରି ମୋତେ ହସ ମାଡ଼ୁଛି । ଆଗୋ ! କେଉଁ ବୁଦ୍ଧିମତି ନାରୀ କାଳପରି ସଉତୁଣୀ ପୁଅର ସମୃଦ୍ଧିରେ ସୁଖୀ ହୁଏ । କହନ୍ତି ପରା, ‘‘ବା ମୁଠା କଲି ବା ମୁଠାକଲି ବା କି ମୁଠାରେ ରହିବ; ସାତଥର କରି ବୁଝାଇ କହିଲେ ପରକି ଆପଣା ହୋଇବ ।’’

 

 

କୈକେୟୀ-

ଗୀତ

 

ଦାସୀ ଏସନ ନ ଭାଷ ଲୋ

ନ ପାଇବୁ ପଉରୁଷ

ଏ ସଚରାଚର, ବ୍ରହ୍ମାଣ୍ଡ ଯାହାର

ଗାଉଛନ୍ତି କୀର୍ତ୍ତି ଯଶ । ଘୋଷା ।

ସର୍ବ ଗୁଣାକର ପ୍ରାଣର ରାମ,

ଏ ଐଶ୍ୱର୍ଯ୍ୟେ ଭୋଗେ ସିନା ଭାଜନ,

ତୁ କିମ୍ପା ବିଷନ୍ନ ହେଉଲୋ ଅଜ୍ଞାନ,

କରୁଛୁ ମନ୍ଦ ସାହସ । ୧ ।

 

 

 

 

ମନ୍ଥରେ ! ଜ୍ୟେଷ୍ଠ ରାଜକୁମାର ରାମ କୃତଜ୍ଞ, ଗୁଣବାନ, ଶାନ୍ତ, ସତ୍ୟବାଦୀ, ପବିତ୍ର ସ୍ୱଭାବ ଓ ଧର୍ମଜ୍ଞ । ସେହି ଏକା ଏ ବିଶାଳ ସାମ୍ରାଜ୍ୟର ଅଧିକାରୀ ହେବା ଉପଯୁକ୍ତ । ତା ବ୍ୟତୀତ ଅନ୍ୟ କେହି ନୁହେଁ । ସଚରାଚର ବ୍ରହ୍ମାଣ୍ଡ ଯାହାର ନାମ, ରୂପ ଓ ଗୁଣରେ ବିମୋହିତ ତୁ ତାର ବିପକ୍ଷ କଥା ମୋ ନିକଟରେ କହିବା ମୋତେ ବିଷ ପ୍ରାୟ ଜଣାଯାଉଛି ।

ମନ୍ଥରା-

ମଲା ମୋର, (ସ୍ୱଗତ) ଘରେ ପାଣି ପଶି ଆଣ୍ଠୁଏ ହେଲାଣି, କଣା କହୁଛି ମେଘ ଦୁଲୁକୁଛି । ଏ ତ କଣ ବେଳକୁ ବେଳ ବେଶୀ ଭୋଳ ହେଉଛନ୍ତି, ତାଙ୍କର ଏ ବ୍ୟବହାର ଦେଖି ମୋ ହାଡ଼ ଜଳି ଯାଉଛି ।

 

 

 

 

 

ଗୀତ

 

 

ତୁମ୍ଭ କପାଳଟା ମନ୍ଦ,      ଦଇବ କଲାଣି ଛନ୍ଦ

ତୁ କିସ ମଣନ୍ତୁ ଖଙ୍ଗ କର୍ମ ହତଭାଗ୍ୟ । ୨ ।

 

 

 

ମହାଦେଇ ! ଆଜି ମୋ କଥାଟା ବଡ଼ ଖଟା ଲାଗୁଛି, କାଲି ଯେତେବେଳେ ବାଟର ଭିକାରୁଣୀ ହୋଇ ପାଚିଆ ଧରି ଦାଣ୍ଡରେ ବୁଲିବ ସେତେବେଳେ ଠିକ୍‌ ମୋ କଥା ମନେ ପଡ଼ିବ । ଆଜି ପୁଅ ପୁଅ ହୋଇ ଗୋଖାପୁଅ ସୁଅରେ ମାତିଛ ।

 

 

କୈକେୟୀ-

ଗୀତ

 

ଏ ଅଯୋଧ୍ୟା ବାସୀ ଯାହାଙ୍କ ନାମେ

ଉତ୍ସାହିତ ହୋନ୍ତି ଏ ଶୁଭଦିନେ

ମୁ କିମ୍ପା ଅଜ୍ଞାନେ,      ଯିବି ତାର ବିଘ୍ନେ

ନ ମେଣ୍ଟିବ ମୋର ଆଶା । ୩ ।

 

 

 

 

ଦାସି ! ଯାହାର ଅଭିଷେକୋତ୍ସବରେ ସମସ୍ତ ଅଯୋଧ୍ୟାବାସୀ ନିମଗ୍ନ, ମୁଁ ସାମାନ୍ୟ ସ୍ତ୍ରୀଟା କାହିଁକି ବିଘ୍ନ ଘଟାଇବି । ଏ ତ ବଡ଼ ନିନ୍ଦାର କଥା ହେବ । ରାମଚନ୍ଦ୍ର ମୋତେ ମାତାଠାରୁ ଅଧିକ ସ୍ନେହ ଓ ଭକ୍ତି କରେ, ମୁଁ ମଧ୍ୟ ତାକୁ ଭରତଠାରୁ ଅଧିକ ଭଲପାଏ ।

 

 

ମନ୍ଥରା-

ଗୀତ

 

ଆଜି ଯାରେ ମଣୁ ସଲ,      କାଲି କାଢ଼ି ଦେବ ଗେଲ

ନ ଜାଣୁକି ଖଳ କାକ ନ ପାଇଲୁ ଠାବ ।

 

 

 

ମହାଦେଇ ! ଆଜି ସିନା ରାମରେ ଗେହ୍ଳାକରି ବସିଛ, କାଲି ଯେତେବେଳେ ସେ ରାଜ ସିଂହାସନରେ ବସିବ, ତେବେ ତମର ଆଉ କି ଦାବୀ ରହିଲା ? ଯେ ରାଜମାତା ସେ, ତୁମ୍ଭେ ପୋଇଲି, ଖାଲି ଉପର ମନରେ ମା ବୋଲି ଗୋଟାଏ ଶୁଖିଲା ଡାକ ଶୁଣିବ । କଥାରେ ଅଛି, ‘‘ପରେ କି ମାନ ଅଲଣାରେ କି ସୁଆଦ’’ ମହାଦେଇ ! କାଳିଆ କୁକୁର ଜିନ ଆଗେ କରିଥିଲା ଜୀବନ ଧନ ଏବେ କଲ ହୀନିମାନ’ ମୁଁ ଯାଉଛି ।

 

 

କୈକେୟୀ-

ଗୀତ

 

ଜ୍ୟେଷ୍ଠ ଥାଇ କନିଷ୍ଠରେ କେ ରାଜ୍ୟ

ଦେବା ନୁହେଁ ଏହା ଉଚିତ କାର୍ଯ୍ୟ

ଧିକ ସେ ଐଶ୍ୱର୍ଯ୍ୟ,      ନ ବଳାଅ ଧୈର୍ଯ୍ୟ

ରଟିବ ନିନ୍ଦା ଅବଶ୍ୟ । ୩ ।

 

 

 

ହଇଗୋ ଦାସି ‘ଜ୍ୟେଷ୍ଠ ପୁତ୍ର ଥାଉ କନିଷ୍ଠ ବା ରାଜା ହେବ କିପରି ? ମୁଁ ନ୍ୟାୟ ଛାଡ଼ି ଅନ୍ୟାୟକୁ ଗଲେ ସୁଦ୍ଧା ନିଷ୍ଫଳ । ତୁ ଯା ବୃଥାଟାରେ କୋଡ଼ି କଚାଡ଼ି ହେବା କିଛି ଦରକାର ନାହିଁ । ସେ ବି ପୁଅ, ଏ ବି ପୁଅ । ଇହ ସଂସାରରୁ କିଏବା କଣ ନେଇ ଗଲାଣି ବା ନବ । ରହିବ ଭଲ ମନ୍ଦ ଦିଟାରୁ ଗୋଟିଏ । ରାଜା ବିଶାଳ ସମ୍ପତ୍ତିରେ ଅଧିକାରୀ ହୋଇ ଯେ ପରିମାଣରେ ଶାନ୍ତି ଅନୁଭବ ନ କରେ ମୂଲିଆ ମୂଲଲାଗି ତତୋଽଧିକ ଶାନ୍ତି ଅନୁଭବ କରେ । ସେ ତ ଭଲକଥା, ତେବେ ସେ ବୃଥା ଯୁକ୍ତିରେ ଫଳ କଣ ?

 

 

ମନ୍ଥରା-

‘‘ବିଡ଼ାନାଶୀ ନଈକୂଳ, ତବ ସଙ୍ଗେ ବସି ପେଣ୍ଡି ବଉଜ ମହାଦେଇ ! ଜଣାଉଛି ମୁଁ ହରାଇବି ଜାତିକୁଳ ।’’ (ସ୍ୱଗତ) ହଁ ଟିକିଏ ବାଗକୁ ଅଇଲେଣି । ‘‘କୁହାଯାଉଥାଏ ସିନା, ତୁହାଇ ତୁହାଇ ପୁଟ ଦେଉଥିଲେ ଲୁହାକି ହୋଇବ ସୁନା’’ ଲୁହାଟା ପାଚି ଆସିଲାଣି ଏତିକିବଳେ ବେଶ୍‌ କରି ଦି ପାହାର ଦେଲେ ବାଗେଇଯିବ । (ପ୍ରକାଶ୍ୟେ) ମହାଦେଇ ! ‘‘କାହା ମନ କେଉଠି କେ ଜାଣି ତମ ମନ ସିନା ଭାତ ହାଣ୍ଡିରେ । ମୋ ମନ ଲାଗିଛି ସେଇଠି । ଆମ୍ବ ପାଇଗଲି, ଅବାଟେ ପଶିଲି ହଜାଇଲି ଗୋଡ଼ ମୁଦି, ସରୁ ସରୁ କରି ସୂତା କାଟିଥିବ ସାଆନ୍ତାଣିଏ ବୁଣିଦେବି କଳା ଖଦି’’ ଭାବିଛନ୍ତି କଣ କିଛି ଉପାୟ ନାହିଁ, ‘‘ଝଟକ ଝଟିଆ ବିନା ଖାଉଥିଲୁ କୁଆ ମଲତା ସିନା ଏବେ ପୂରୁବ କଥାକୁ ଅନା ।’’

 

 

 

ଗୀତ

ଦେବାସୁର ରଣେ ଯାହା,      ବର ଯାଚିଥିଲେ ନାହା

ସେ ଦୁଇଟି ବର ଏହା କର ମନେ ଦମ୍ଭ ।

ମହାଦେଇ ! ‘‘ବାଡ଼ିଆଡ଼େ ମଟ ମଟା, ନ ଖାଇ

ନ ପିଇ ପଛକୁ ରହିଲେ ହେବି ସିନା ହଟହଟା ।’’

 

(ଗୀତ)

ରାଜା ହୋଇବ ଭରତ,      ହବ ରାମ ନିର୍ବାସୀତ

ଚଉଦବର୍ଷ ପୂର୍ଣ୍ଣେ ତ ପାଇବ ସମ୍ପଦ ।

 

 

 

କହନ୍ତି ପରା, ‘‘ସାହସେ ମରି ସାହସେ ତରି, ସାହସେ ଘର ଦୁଆର କରି ।’’ ମହାଦେଇ ! ଯଦି କୁଜିବୁଢ଼ୀଟା ନ ଥାନ୍ତା କଣ କରନ୍ତେ, କେ ଜାଣି, ମନେ ପଡ଼ୁ ନାହିଁ, ମୁଁ ତ ତୁମ୍ଭଠୁ ଶୁଣି ମୋର ମନରେ ଟପ ଟପ ହୋଇ ନାଚୁଛି, ତୁମ୍ଭର ପାଶୋରଗଲାଣି । ଦେବୀ ! ଦେବାସୁର ଯୁଦ୍ଧକୁ ଯାଇଥିବା ସମୟରେ ରାଜା ତୁମ ସେବା ଓ ଶୁଶ୍ରୂଷାରେ ତୃପ୍ତ ହୋଇ ପରା ତୁମ୍ଭଙ୍କୁ ଦୁଇ ଗୋଟି ବର ଦେବାକୁ ସ୍ୱୀକୃତ ହୋଇଥିଲେ, ତୁମ୍ଭେ ସମୟାନୁଯାୟୀ ମାଗିନେବ ବୋଲି ତାଙ୍କଠାରେ ରଖାଇଛ । ତାର ଏହି ପ୍ରକୃଷ୍ଟ ସମୟ । ପ୍ରଥମ ବର ଭରତ ରାଜା ହେଉ, ଦ୍ୱିତୀୟେ ରାମ ଚଉଦବର୍ଷ ବନବାସ କରିଯାଉ ।

 

 

କୈକେୟୀ-

ଗୀତ

ପୁତ୍ର ପାଇଁ ସିନା ମାଗିବି ରାଜ୍ୟ ।

ରାମ ବନେ ପେଶି କେବଣ କାର୍ଯ୍ୟ

ଲୋଡ଼ା ନାହିଁ ରାଜ୍ୟ,      ଏ କୁତ୍ସିତ କାର୍ଯ୍ୟ

ନ ଶୁଣାଇବି ଜୀବେଶ । ୪ ।

 

 

 

ମନ୍ଥରେ ! ଭରତ ଲାଗି ସିନା ରାଜ୍ୟ ମାଗିବି, ରାମଙ୍କୁ ଚୌଦବର୍ଷ କାହିଁକି ଅକାରଣେ ବନକୁ ପଠାଇବି ? ରାଜା ଏ ନିଦାରୁଣ କଥା ଶୁଣି ପ୍ରାଣଧରି ରହିବେଟି ? ଦାସି ! ରାମ ପରି ପୁଅକୁ ବନକୁ ପଠାଇ ରାଜ୍ୟ ନେବା ମୋର ଲୋଡ଼ା ନାହିଁ ।

 

 

ମନ୍ଥରା-

ପୁଣି ତ ବିଗିଡ଼ି ଗଲା, ଟିକିଏ ବାଗକୁ ଆସିଥିଲା । କିଗୋ, ରାମ ଠେଇଁ ସମସ୍ତଙ୍କର ସ୍ନେହ, ଏ ବୁଢ଼ା ରଜା ଆଉ କେତେଦିନ ବଞ୍ଚିବ । ରାଜା ମଲେ ପ୍ରଜାଯାକ ଭରତକୁ ବାହାରକରି ଦେଇ ରାମଙ୍କୁ ରାଜ୍ୟ ଦେବେ । ‘‘ମୁଳୁ ମାରିଲେ ଯିବସରି ପଛକୁ ଥିବ କିମ୍ବା କଳି ।’’ ସେ ତ ରାଜପୁତ୍ର, ଜଙ୍ଗଲରେ ଫଳ ମୂଳ ଖାଇ ସେ କଣ ବଞ୍ଚି ଚଉଦବର୍ଷ ପରେ ସତେ ଫେରିବ ନା ଭରତକୁ ତଡ଼ି ରାଜା ହେବ । ତା ହେଲେ ଭରତ ନିର୍ବିଘ୍ନରେ ରାଜକାର୍ଯ୍ୟ ଚଳାଇବ ।

 

 

 

 

 

 

 

ଗୀତ

 

ଯେବେ ଲୋଡ଼ୁ ସୁଖ ଶିରି,

ବେଳହୁଁ ଉପାୟ କରି

ବାଳକୃଷ୍ଣ ବୋଲେ ଯାଇଁ

ଦୁର୍ଗାପାଦେ ସେବ । ୬ ।

 

 

 

 

ରାଜାଙ୍କର ଯେବେ ଭରତଠାରେ ସ୍ନେହଥାନ୍ତା, ତେବେ ଏଡ଼େ ବଡ଼ ଉତ୍ସବଟାରେ ସେ ଦୋମଣିଷ ଯାକଙ୍କର କାହାରି ମନେ ପଡ଼ୁ ନ ଥାନ୍ତା, ଭରତ ଯାଇ କେଉଁଠୀ ମାମୁଁ ଘରେ ପଶିଛି ତାକୁ ଟିକିଏ ଖବର ଦେବାକୁ କଣ ପାଟି ଛିଡ଼ିଗଲା, ଏଇଥିରୁ ତ ଜାଣିବ ?

କୈକେୟୀ-

କୁବୁଜେ ! ରାଜାଙ୍କର ଏଥିରେ ପ୍ରକୃତ ଛନ୍ଦ ଅଛି, ତୁ ନ ଥିଲେ ମୁଁ ଏତେ ଗୁଢ଼ ରହସ୍ୟ କିପରି ଜାଣିଥାନ୍ତି, ଧନ୍ୟ ତୋର କୁଜ । ସେଟି କୁଜ ନୁହେଁ ଯେ ବୁଦ୍ଧିର ଜାହାଜ ।

 

 

 

ଗୀତ

 

ଜଣାଅ ତୁ ନାଥେ ପୀଡ଼ିତା ମୁହିଁ

ତବ ଦରଶନେ ଅଛନ୍ତି ଚାହିଁ

ନିର୍ଦ୍ଦୟ ନ ହୋଇ ମୂହୁର୍ତ୍ତକ

ପାଇଁ ବାଳୀର ହରନ୍ତୁ ପ୍ରାଶ ।

 

 

 

 

ଦାସି ! ଶୀଘ୍ର ଯାଅ, ରଜାଙ୍କୁ କହିବ ରାଣୀ ବଡ଼ ପୀଡ଼ିତ । ତବ ଦର୍ଶନ ମାତ୍ରଇ ତାଙ୍କର କାମନା ।

 

 

ମନ୍ଥରା-

ଦେବି ! ତୁମ୍ଭେ ଆଉ ଭରତ ବଞ୍ଚିଥିଲେ ମୋର କେଉଁ ପରୁଆ ? ଯାଉଛି ଚୋର ପଳେଇଲା ଘରେ ଚାବି ଦେଇ କି ହେବ ? (ସ୍ୱଗତ) ମାଇକିନିଆଟାର କେତେ ବୁଦ୍ଧି କେତେ ମୋଡ଼ ମାଡ଼ ହେଉଥିଲା, ଏବେ ଯିବ କୁଆଡ଼େ, ଭରତ ରଜା ହେଉ ଯେଉଁ ପ୍ରଜାଗୁଡ଼ିକ ରାମ ରାମ ହେଉ ଥିଲେ ତାଙ୍କୁ ମୋଡ଼ିମାଡ଼ି ଖାଇବି । ମୁଁ ଆସେ ।

 

————————

 

ଦ୍ୱିତୀୟ ଅଙ୍କ

ପ୍ରଥମ ଦୃଶ୍ୟ

 

ଦଶରଥ-

ଗୀତ

 

କହରେ ସଙ୍ଗିନୀ କିମ୍ପା ତୁ ମାନିନୀ

ଅଭିମାନୀ ମୃଗଲୋଚନା । ପଦ ।

ଶିରିଷ ଅଙ୍ଗୀରେ, ଗିରୀଷ ଅରିକି

ପିଡ଼ୁଛି ତୋ ଅଙ୍ଗ ରାଗ କରୁ ସଖି

ଗୋରୀ ବାରିଯାକ୍ଷୀ ଚାରୁ ଚନ୍ଦ୍ରମୁଖି

ହସି ଭାଷ ପିକବଚନା । ୧ ।

 

 

ପ୍ରିୟେ ! କି ବିଷାଦେ ଝାଉଁଳିଛି ତବ ମୁଖ ଶଶୀ । ହସି କିମ୍ବା ନ କହୁଛୁ କଥା । ବ୍ୟଥାଦିଏ ଅଙ୍ଗକୁ ମୋହର ଭାବନା ବୃଥାରେ । ମୋ ପକ୍ଷେ ନୁହେ ଶ୍ରେୟସ୍କର ।

 

 

 

ଗୀତ

 

ଜବା ଅଧରରେ କିମ୍ପା ତୁ ଅଧୀରା,

କିବା ଅପରାଧେ ଛନ୍ଦକରୁ ଧୀରା,

ତୁମୋ ହୃଦହାରା ପ୍ରେମର ପସରା

ନ ଦିଅ ତୁ ଆଉ ଲାଞ୍ଛନା ।

 

 

ମୁଁ ମୋର ନିଜର କର୍ମକୁ ଭାବି ମୋର ହୃଦୟ ଅସହ୍ୟ ହେଉଛି ।

 

 

 

ଗୀତ

 

ପୀନଉରଜା ତୁ ନ ବହ ମାନ,

ଭିନ୍ନ ନ କର ରେ ରାମାରତନ,

ବାଳାମଣି ଜ୍ଞାନ, ହଜାଉଛି ଜାଣ,

କହ କିସ ତୋର ଶୋଚନା ।

 

 

ପ୍ରିୟେ ! କିମ୍ପା ଏତେ ଛନ୍ଦ, ଯାହା ହେଉ ମନୋବାଞ୍ଛା ପ୍ରକାଶ ତୁ ନିର୍ଭୟ ଅନ୍ତରେ । ବୃଥା ବାକ୍ୟେ ନ କଟାଅ କାଳ ।

କୈକେୟୀ-

ଗୀତ

 

ଜାଣି ତ ନ ଥିଲି ନାଥ,

ଏଡ଼େ ନିଷ୍ଠୁର ହୃଦୟ ।

ମୁଖରେ ମଧୁର ଭାଷି,

ଅନ୍ତରେ ହୁଅ ନିର୍ଦ୍ଦୟ ।

ଭ୍ରମର ପରାୟେ ଭାବ,

କ୍ଷଣେ କର ସୁଖ ଲାଭ ।

ଅନ୍ତର ହେଲେ ମୋ ଠାବ,

ଆନରେ ହେବ ସଦୟ ।

 

 

ନାଥ ! ଏ ଅଧୀନାଠାରେ ଆପଣଙ୍କର ଏତେ ଛନ୍ଦବୋଲି ତିଳେମାତ୍ର ବିଶ୍ୱାସ କରି ନ ଥିଲି । କିନ୍ତୁ ଆଜି ଫଳରେ ଜାଣି ପାରୁଛି; ଆପଣ ଏକା କାହିଁକି ପୁରୁଷ ମାତ୍ରକେ ସମସ୍ତଙ୍କର ଏକଇ ଭାବ ।

 

ଦଶରଥ-ପ୍ରିୟେ ! ଅନ୍ୟ ରାଣୀମାନଙ୍କ ଅପେକ୍ଷା, ମୁଁ ତ ତୁମ୍ଭଙ୍କୁ ଅଧିକ ସ୍ନେହ କରେ, ତେବେ ତୁମ୍ଭର ଆଉ କି ଚିନ୍ତା ପ୍ରକାଶ କର ?

 

 

କୈକେୟୀ-

ଗୀତ

 

ପୋଡ଼ୁ ଏ ପୋଡ଼ା କପାଳ,

ଜୀଇବା ନାହିଁଟି ଫଳ ।

ଅବିଶ୍ୱାସୀ କ୍ରୁରକାଳ,

ଭବିଷ୍ୟେ ଲାଗୁଛି ଭୟ ।

 

 

ଭବିଷ୍ୟତ କଥାକୁ ଚିନ୍ତାକରି ଏ ଜୀବନରେ କେତେ କଣ ଅନୁଭୋଗ କରିବାକୁ ପଡ଼ିବ, ଭାବି ମନଟା ବଡ଼ ବ୍ୟସ୍ତ ହେଉଛି । ତେବେ ଅଧିନାର ଆପଣଙ୍କ ନିକଟରେ କିଛି ମାଗୁଣି ଅଛି । ଏ ଶୁଭ ସମୟରେ କେତେ ବା ଦାନ ଧ୍ୟାନ ହେଉନାହିଁ । ଆଶାକରେ ଏପରି ସମୟରେ ପ୍ରାୟ ମୋର ଅଭିଷ୍ଟ ନିଶ୍ଚୟ ଫଳବତୀ ହୋଇ ପାରିବ ।

ଦଶରଥ-

ପ୍ରକାଶ ନ କଲେ ଜାଣିବି କିପରି ?

 

 

କୈକେୟୀ-

ଗୀତ

 

ଦେବାସୁର ରଣେ ଯାହା,

ଯାଚି ଥିଲେ ପ୍ରାଣନାହା,

ମାଗୁଣି ମାତ୍ରକ ତାହା;

ଦୟାକର ଦୟାମୟ ।

 

 

 

 

ଆପଣ ଦେବାସୁର ଯୁଦ୍ଧ ସମୟରେ ଯେ ଦୁଇଟି ବର ମୋତେ ଦେବା ନିମିତ୍ତ ପ୍ରତିଶ୍ରୁତ ହୋଇଥିଲେ, ତାହା ମୁଁ ନ ନେଇ ଆପଣଙ୍କଠାରେ ଗଚ୍ଛିତ ରଖାଇ ଥିଲି । ମାତ୍ର ସେ ବର ବର୍ତ୍ତମାନ ଛାଡ଼ି କାଲି ଦେବାର ଆଉ ଶକ୍ତି ନାହିଁ । କାରଣ ଯେତେବେଳେ ଆପଣଙ୍କ ପୁତ୍ର ମସ୍ତକରେ ରାଜମୁକୁଟ ଅର୍ପଣ କରିବେ ସେତେବେଳେ ଆପଣଙ୍କର ଆଉ ଦାବି କଣ ? ତେବେ ଅଧୀନାକୁ ଆଗରୁ ସେ ବିଷୟ ତୁଟାଇ ଦେବା ଭଲ ।

ଦଶରଥ-

 

ବାସ୍ତବିକ କଥା, ମୁଁ ଭୁଲି ଯାଇଥିଲି । ତୁମ୍ଭେ ମଧ୍ୟ ଯାହା କହିଲ ସତ୍ୟ । ତେବେ ଏଥିଯୋଗୁ ଏତେ ବ୍ୟସ୍ତ କାହିଁକି ? ତୁମ୍ଭ ଲାଗି ଏ ପ୍ରାଣ ପର୍ଯ୍ୟନ୍ତ ବିସର୍ଜନ କରିପାରେ, ତେବେ ପ୍ରକାଶ କର କି ବାଞ୍ଛା ତୁମ୍ଭର ।

କୈକେୟୀ-

ନାଥ ! ଯାହା ମୁଁ ମାଗିବି ମୋତେ ଦେବେଟିକି ତାହା ?

ଦଶରଥ-

ପ୍ରିୟେ ! ନ ଭାବ ସେ କଥା, ମିଥ୍ୟା ନ କହିବେ କେବେ ଇକ୍ଷ୍ୱାକୁବଂଶୀୟ ଦଣ୍ଡଧର । ସତ୍ୟ, ସତ୍ୟ, ସତ୍ୟ ମୋ ବଚନ, ମନୋଗତ ଯାହା ମାଗ ଘେନ ବର ରେ ରାମାରତନ ।

 

 

କୈକେୟୀ-

ଗୀତ

 

ସତ୍ୟ ଯେବେ ଅଙ୍ଗୀକାର,

ରାମ ନୋହୁ ରାଜେଶ୍ୱର

ଭରତେ ବାନ୍ଧନ୍ତୁ ଚିର,

ବାସରେ ଦିଅ ଅଭୟ ।

 

 

ମହାରାଜ ! ପ୍ରଥମ ବରରେ ମୋର ପୁତ୍ର ଭରତ ରାମ ପରିବର୍ତ୍ତେ କାଲି ପୁଷ୍ୟା ଯୋଗରେ ଯୌବରାଜ୍ୟେ ଅଭିଷିକ୍ତ ହେଉ ।

ଦଶରଥ-

ପ୍ରିୟେ ! ଯଦି ଶୋଭିଲା ତୁମ୍ଭଙ୍କୁ, ଅସ୍ତୁ ହେଉ ତାହା । କାରଣ ରାମ ଭରତର ନାହିଁ ଭିନ୍ନାଭିନ୍ନ । ରାମ ଯେପରି ସ୍ନେହର ପାତ୍ର ଭରତ ମଧ୍ୟ ତଦ୍ରୁପ । ତେବେ ପ୍ରକାଶ ଆନ ବର ଗୋଟି ।

 

 

କୈକେୟୀ-

ଗୀତ

 

ଜଟା ବଳ୍‌କଳ ବହିଣ      ବନବାସେ ଯାଉ ରାମ ।

ଚଉଦ ବର୍ଷ ଅନ୍ତେଣ ଫେରିବ ନିଜ ଆଶ୍ରମ ।

ରାମଚନ୍ଦ୍ର ଜଟା ବଳ୍‌କଳ୍‌ ଧାରଣ କରି ଚଉଦବର୍ଷ

କାଳ ବନବାସ କରୁ, ଏହାହିଁ ଭିକ୍ଷା ।

 

ପ୍ରିୟତମେ ! କିଏ ତୁମ୍ଭଙ୍କୁ ଏ ବିପକ୍ଷ ବୁଦ୍ଧିରେ ପ୍ରବର୍ତ୍ତାଇଲା । ରାମ କଣ ଏକା ମୋର, ସେ କଣ ତୋର ନୁହେ । ଧରୁଅଛି ପଦ ତବ ପଶୁଛି ଶରଣ, ପ୍ରିୟତମେ ରାମେ ମୋର ନ ପଠାଅ ବନେ । ଭ୍ରତ ପଛେ ରାଜା ହେଉ ଅଯୋଧ୍ୟା କଟକେ, ନାହିଁ ତହିଁ ମୋହର ଶୋଚନା । ମାତ୍ର ରାମ ବନଯିବା କଥା ନ ଧରଲୋ ତୁଣ୍ଡେ । ଏ କଣ ହେଲା, ହା ରାମ ।

ଦଶରଥ-

(ଦୀର୍ଘ ନିଶ୍ୱାସ ତ୍ୟାଗ)

କୈକେୟୀ-

ଗୀତ

ଭାବିଲେ କି ହେବ ଆଉ ନ ଛାଡ଼ିବି ଏହି ଦାଉ

ଝଟତି ଏ ଆଜ୍ଞାହେଉ ବାଳକୃଷ୍ଣ କରେ ଭୟ । ୬ ।

 

ନାଥ ! ବୃଥା ଭାବନା କରା ଆବଶ୍ୟକ କଣ ? ମୋର ମନୋବାଞ୍ଛା ପୂର୍ଣ୍ଣ କରିବାକୁ ନିଶ୍ଚୟ ହେବ । ନଚେତ୍‌ ନାସ୍ତି କରନ୍ତୁ, ମୁଁ କର୍ମ ଆଦରି ରହିବି ।

 

 

ଦଶରଥ-

ଗୀତ

 

ଆଲୋ ଦୂରାଚାରୀ ପାପିଷ୍ଠୀ ପାମରି

ଏ କି କାଣ୍ଡ ଆଜି କଲୁଲୋ ।

କାହା ଫାନ୍ଦେ ପଡ଼ି ଗଲୁ ବୁଦ୍ଧି ହୁଡ଼ି

ଭଣ୍ଡପଣ ଦେଖାଇଲୁ ଲୋ ।

ଖଣ୍ଡା ଧରି କିମ୍ପା ନ କାଟି ମୋ ଷଣ୍ଢା

ଥଣ୍ଡାଠାରେ କି ସାଧିଲୁ ଲୋ

ଭଣ୍ଡାଭଣ୍ଡି କରି ଦେଲୁ ହଣ୍ଡାଚିରି

ମୋ ଗଣ୍ଡାକ ପୁରାଇଲୁ ଲୋ । ୧ ।

 

 

ପାଷାଣ୍ଡି ! ତୋର ଏତେ ଛନ୍ଦ, ତୁ ବ୍ରହ୍ମାଣ୍ଡବିଜୟୀ ପୁତ୍ରକୁ ଦଣ୍ଡେ ଦେଖି ପାରିଲୁ ନାହିଁ-। ନାରୀହତ୍ୟା ମହାପାପ, ନଚେତ୍‌ ତୋର ମୁଣ୍ଡ ମୁଁ କ୍ଷଣକ ମଧ୍ୟରେ ଖଣ୍ଡ ଖଣ୍ଡ କରି ପାରନ୍ତି । ଦୁର୍ଦ୍ଦଣ୍ଡି । କାହା ଶିକ୍ଷାରେ ପଡ଼ିଛୁ ସତ କହ ?

ମନ୍ଥରା-

(ସ୍ୱଗତ) ମଲା ସିକେଇ ଦଉଥିଲା କିଏ ? ସେ କଣ ଆଗୁଆର ହୋଇଛନ୍ତି କି ? ଏତ ଆଚ୍ଛା କଥା ହେଲା, ଏବଦ ଅକଲି ତୁରୁ ତୁରିଆ ମାଈକିନିଆ ମୋ ନା କାଳେ କହି ନ ଦିଏତ ।

 

(ପ୍ରକାଶ୍ୟେ) ମହାରାଜ ! କଣ ହେଲାକି ?

ଦଶରଥ-

ଚୁପ୍‌କର ପାଷାଣ୍ଡୀ (ଚୁଟିଧରି ପେଲିଦେବା) ।

ମନ୍ଥରା-

ଇଲୋ ମୋ ବୋଉଲୋ; ମୁଁ କାହିଁକି ମିଛଟାରେ ଏ ପରାଭବ ପାଉଛି । ମୁଁ ଯାଉଛି, ତୁମ୍ଭେ ଦୁହେଁ ଏଥର ଗଡ଼ାପଡ଼ା ହୋଇ ମଲେ କେତେ ଗଲେ କେତେ ?

 

 

ଦଶରଥ-

ଗୀତ

 

ଯାର ନାମ ସ୍ମରି ନାଚେ ବସୁନ୍ଧରୀ

ତୁ କିମ୍ପା ଭଗାରି ହେଲୁ ଲୋ ।

ନାରଖାର କରି ଦେଲୁ ଆଜି ପୁରୀ

କି ପୌରୁଷକୁ ଅର୍ଜିଲୁ ଲୋ । ୨ ।

 

 

ନାରକି ! ଯାର ନାମରେ ଏ ଅଯୋଧ୍ୟାପୁରୀ ପୂର୍ଣ୍ଣିମୀ ରଜନୀ ପରି ହସି ଉଠୁଥିଲା, ତୁ ପାପିଷ୍ଠୀ ରାହୁ ପ୍ରାୟ ତାକୁ ଅମାବାସ୍ୟାନ୍ଧକାରରେ ପରିଣତ କଲୁ ।

 

ଗୀତ

 

କି ସମ୍ପଦ ପାଇଁ ଛନ୍ଦକଲୁ

ତୁହି ମନ୍ଦପଣ ଦେଖାଇଲୁ ଲୋ ।

ବାଳକୃଷ୍ଣ କହି କାଳକଣ୍ଟ ତୁହି

ଆଣ୍ଟ ମୋର ଛଡ଼ାଇଲୁ ଲୋ ।

 

 

 

 

ଓହୋ, ଧିକ୍‌ ମୋର ପ୍ରତିଜ୍ଞା, କଣ କରିବି ? ପାଷାଣ୍ଡୀ କବଳରେ ପଡ଼ି ମୋର ହୃଦୟ ରତନକୁ ବନକୁ ତେଜିଲି । ପାପିୟସି ! କେମନ୍ତେ ମୁଁ ରାମଚନ୍ଦ୍ର ଦେବି ଏ ବାରତା । ପତି ପରାୟଣା ଜନକ ତନୟା ଶୁଣିବ ଯା ଯେବେ କି ବୋଲି ବୋଲିବ । ରାକ୍ଷାସି ! ରାମ ବନ ଯିବା ପୂର୍ବରୁ ବିଦୀର୍ଣ୍ଣ କରିବୁ ମୋର ନିର୍ଦ୍ଦୟ ହୃଦୟ ।

କୈକେୟୀ-

ବୃଥା ଭାବନା କିବା ପ୍ରୟୋଜନ, ରାମ ବନ ଯିବ ନିଶ୍ଚେ ନ କର ବାରଣ । ଇଷ୍ୱାକୁବଂଶଜ ପୁଣି ଅଜରାଜ ସୁତ ନାମ ସତ୍ୟସନ୍ଧ ବୋଲି ବିଦିତ ଜଗତେ, ଛାର ପୁତ୍ର ସ୍ନେହେ ବିସ୍ମତ କିମ୍ପା ହୁଅ, ହୋଇ ଅନ୍ଧ । ଶ୍ରୀମୁଖର ବର ଯଦି ବିଅର୍ଥ ହୋଇବ, ଚାରି ଯୁଗେ କଳଙ୍କର ପତାକା ଉଡ଼ିବ । ପୁଣି ସୂର୍ଯ୍ୟବଂଶୁ ସତ୍ୟସନ୍ଧ ନାମହି ବୁଡ଼ିବ ।

 

————————

 

ଦ୍ୱିତୀୟ ଦୃଶ୍ୟ

ସୁମତ୍ର-

ଏ କଣ ? ମହାରାଜ ଏ ପର୍ଯ୍ୟନ୍ତ ଅନ୍ତଃପୁରରୁ ବିଜେ ନ କରିବାର ଅଭିପ୍ରାୟ କଣ ? ଅଭିଷେକ ସମୟ ଅତୀତ ହେବା ପ୍ରାୟ । ବୋଧହୁଏ ମହାରାଜ ସାରା ରାତିଟା ଆନନ୍ଦ ସମୁତ୍ସୂକେ ଜାଗ୍ରତ ଥାଇ କ୍ଳାନ୍ତି ବଶତଃ ନିଦ୍ରାଭିଭୂତ ଅଛନ୍ତି । ତେଣେ ଯେ ଦ୍ୱାର ଦେଶରେ ନିମନ୍ତ୍ରିତ ରାଜାଗଣ । ଭଗବାନ ବଶିଷ୍ଠଙ୍କ ସହ ବ୍ରାହ୍ମଣ ଓ ମୁନି ଋଷିଗଣ ଉପସ୍ଥିତ ହେବେଣି, ଯାଏଁ ଅନ୍ତଃପୁର ମଧ୍ୟୁ ରାଜାଙ୍କୁ ଏ ସନ୍ଦେଶ ଜଣାଏ ।

 

( ସୁମନ୍ତ୍ରର କୈକେୟୀଙ୍କ ନବରରେ ପ୍ରବେଶ )

 

 

ସୁମତ୍ର-

ମହାରାଜ ! ରାତ୍ର ପାହିଲାଣି, ଅଭିଷେକ ସମୟ ଉପସ୍ଥିତ, ଗାତ୍ରୋତ୍‌ଥାନ କରନ୍ତୁ । ବିଳମ୍ବେ କାର୍ଯ୍ୟର ଫଳ ଅଶୁଭଦାୟକ ହେବ ।

 

 

ସୁମତ୍ର-

ଛାମୁଙ୍କର ଏ ଶୁଭଦିନରେ ଏପରି ବିହ୍ୱଳିତ ହେବାର ଅଭିପ୍ରାୟ କଣ, ଯଦି ଅଧୀନର କୌଣସି ଦୋଷାଦୋଷ ଥାଏ ତ ମାର୍ଜନା କରି ପ୍ରକାଶ କରନ୍ତୁ ?

 

 

କୈକେୟୀ-

ତୁମ୍ଭର ସେ କଥା ବିଚାର କରିବାର ଆବଶ୍ୟକ ନାହିଁ, ଯାଅ ଶୀଘ୍ର ରାମକୁ ଏଠାକୁ ଘେନିଆସ ।

 

 

ସୁମନ୍ତ୍ର-

ସାମ୍ରାଜ୍ଞି ! ମୁଁ ଭୃତ୍ୟ ସତ୍ୟ ମାତ୍ର ରାଜକାର୍ଯ୍ୟ ନିମିତ୍ତ, ପାରିବାରିକ ନିମିତ୍ତ ନୁହେଁ-। ଏଣୁ ମହାରାଜଙ୍କ ବିନାନୁମତିରେ ଆପଣଙ୍କ ଆଜ୍ଞା ଅବଜ୍ଞା ଯୋଗ୍ୟ ।

 

 

କୈକେୟୀ-

କି କହିଲ ମନ୍ତ୍ରି ! ମୋର ଆଜ୍ଞା ଅବଜ୍ଞା ଯୋଗ୍ୟ, ଯଦି ସମୟରେ ମୋର ଆଜ୍ଞା ପାଳନ କର ?

ସୁମନ୍ତ୍ର-

ଅସମ୍ଭବ, ସମ୍ଭାବି ପାରେ, ଯେ ଦିନ ଆପଣ ସିଂହାସନାଧିରୁଢ଼ା ହେବେ ।

 

 

କୈକେୟୀ-

ତେବେ, ସେଥି ନିମିତ୍ତ ମୁଁ କହୁଛି ରାଜା ବର୍ତ୍ତମାନ ଚିନ୍ତାଗ୍ରସ୍ତ ଓ ଅସୁସ୍ଥ, ରାମକୁ ଏଠାକୁ ଆସିବାକୁ କହ ?

ସୁମତ୍ର-

ସାମ୍ରାଜ୍ଞି ! ପୁଣି ସେହି କଥା, ଇକ୍ଷାକୁବଂଶୀୟ ମନ୍ତ୍ରି କି ଏପରି ନିଚମନା ଓ ଦୁର୍ବଳ ନୁହେ ଯେ ସେ ରାଜାଙ୍କ ବିଦ୍ୟମାନତ୍ୱରେ ସାମାନ୍ୟ ଜଣେ ଅବଳାର ଆଜ୍ଞାକାରୀ ହେବ ।

 

 

ଦଶ-

(କ୍ଷୀଣସ୍ୱରରେ) ମନ୍ତ୍ରି ! ମୋର ଜୀବନ ଚାଲିଯିବା ପ୍ରାୟ, ରାମକୁ ଥରେ ଦେଖନ୍ତି ।

ସୁମତ୍ର-

(ସ୍ୱଗତ) ଏ ବ୍ୟାପାର ସନ୍ଦର୍ଶନ କରି ମୋ କ୍ଷୁଦ୍ର ବୁଦ୍ଧିରେ କିଛି ଭାବିଚିନ୍ତି ସ୍ଥିର କରିପାରୁ ନାହିଁ । ଅକସ୍ମାତ ଏ କି ବିଭ୍ରାଟର ସମ୍ଭାବନା, ବୋଧହୁଏ ଏଥିରେ କିଛି ଗୂଢ଼ କଥା ସନ୍ନିହିତ । ତଥାପି ରାଜାଜ୍ଞା ପାଳନୀୟ । (ପ୍ରକାଶ୍ୟେ) ଯଥାଜ୍ଞା ମହାରାଜ ।

(ପ୍ରସ୍ଥାନ)

————————

 

 

ତୃତୀୟ ଦୃଶ୍ୟ

ସୁମନ୍ତ୍ର-

ବାବୁ ରାମଚନ୍ଦ୍ର ! ପିତାଙ୍କ ଆଦେଶ ଶୀଘ୍ର ବିରାଜମାନ ହୁଅନ୍ତୁ ।

 

 

ରାମ-

ମନ୍ତ୍ରୀବର ! ଉଦୟ ସମୟକୁ ଆହ୍ନିକ କାର୍ଯ୍ୟାଦି ସମାପନାନ୍ତେ ଅଭିଷେକୋତ୍ସବରେ ଯୋଗଦେବା ନିମିତ୍ତ ପିତାଙ୍କର ଆଦେଶ ଥିଲା, କିନ୍ତୁ ବର୍ତ୍ତମାନ ତ ସେ ସମୟ ହୋଇନାହିଁ । ତେବେ କଣ ସମସ୍ତ ଆୟୋଜନ ହୋଇଛି କହନ୍ତୁ, ତେବେ ପିତା କେଉଁଠାରେ ?

 

 

ମନ୍ତ୍ରୀ-

ଯୁବରାଜ ! ପିତା ବର୍ତ୍ତମାନ ମଝିଆ ମାଆଙ୍କ ଉଆସରେ କାରଣ କଣ ମୁଁ ତାହା ଜାଣେ ନା ।

ରାମ-

ଏତ ସନ୍ଦେହର କଥା ଆଚ୍ଛା ଚାଲନ୍ତୁ ।

 

(ଆସିବା ସମୟେ ସଙ୍ଗେ ଲକ୍ଷ୍ମଣ ମିଳି ଆସିବା)

 

————————

 

ଚତୁର୍ଥ ଦୃଶ୍ୟ

ସୁମନ୍ତ୍ର-

ମହାରାଜ ! ଆଦେଶ ମତେ ରାମଚନ୍ଦ୍ର ବର୍ତ୍ତମାନ ଆପଣଙ୍କ ସମୀପରେ ଉପସ୍ଥିତ ।

ଦଶ-

କାହିଁ ମୋ ହୃଦୟ ଚନ୍ଦନ (କହି ମୁର୍ଚ୍ଛାଗତ)

 

 

 

(ରାମ କୈକେୟୀଙ୍କ ଚରଣ ବନ୍ଦନା କରି ପିତାଙ୍କୁ କୋଳରେ ଧରି ଅଧୀର କଣ୍ଠରେ)

ରାମ-

ମା, ମା, ପିତା ଏପରି ଅଧୀର ହେଉଛନ୍ତି କାହିଁକି ? ମୁଁ କଣ କିଛି ଦୋଷ କରିଛି, ପ୍ରାଣରେ କି ଦାରୁଣ ଆଘାତ, ପିତା ଏପରି ଅଧୀର ହେବାର କାରଣ କଣ ?

 

 

ଦଶ-

(ସଚେତ ହୋଇ ରୋରୁଦ୍ୟମାନ)

ରାମ-

ଜନନି ! ତାତ କିମ୍ପା ଧରାଶାୟୀ, କି ବିଷାଦେ ହୁଅନ୍ତି ଅଧୀର । ଦୟାକରି ପ୍ରକାଶି ଅଧୀନେ ସନ୍ଦେହ ମୋ କର ବିମୋଚନ ।

 

 

 

ଗୀତ

 

କିମ୍ପାଇ ତାତ ମୂର୍ଚ୍ଛିତ,

କିଞ୍ଚିତେ ପ୍ରକାଶ ମା । ଘୋଷା ।

ପଦ୍ମ ସୁବାସ ବଦନ            କିମ୍ପାଇ ଦିଶେ ମଳିନ,

ଅଶ୍ରୁପାତ ଅନୁକ୍ଷଣ ନାହିଁଟି ବିକାଶ ମା । ୧ ।

 

ନୟନରୁ ଅଶ୍ରୁଧାର ବହି ଅଙ୍ଗବାସ ହେଲାଣି ତ ଆର୍ଦ୍ର, କହ ମାତ କି ଉଦ୍ଦେଶ୍ୟେ ଡକାଇଲେ ମୋତେ, ହସି କିମ୍ପା ପିତା ନ କହନ୍ତି କଥା ।

କୈକେୟୀ-

ବାପରେ କହିବାକୁ ଲଜ୍ଜ୍ୟା ହୁଏ ମୋତେ ମୂର୍ଚ୍ଛା ନୁହେ ବୃଥା ଛଳନା ମାତ୍ରକ ।

ମନ୍ଥରା-

ଛୋପରା ଛୋପରା ।

 

 

ରାମ-

ଗୀତ

 

କିବା ବ୍ୟାଧି ଆକ୍ରମଣେ      ସନ୍ତାପିତ ହୋନ୍ତି ମନେ,

ପ୍ରକାଶକର ଅଧୀନେ ସହି ନୁହେଁ କ୍ଳେଶ ମା ।

 

ମା ! କିବା ବ୍ୟାଧି ଆକ୍ରମଣେ ପାଆନ୍ତି ସେ କ୍ଳେଶ, ବଡ଼ ସନ୍ଦେହ ଜନ୍ମୁଛି ମୋ ମନେ, ଦୟାକରି ପ୍ରକାଶ ସକଳ ବୃତ୍ତାନ୍ତ ।

 

 

 

ଗୀତ

ମୁଁ କି ଚରଣେ ବିବାଦି      ହୋଇଅଛି ଅପରାଧୀ

ଯେ ଦଣ୍ଡ ଦେବ ସମ୍ପାଦି ଭୋଗିବି ପ୍ରକାଶ ମା ।।

 

 

 

ମା ! ଅଧମ ସନ୍ତାନେ କିମ୍ପା ଦିଅ ଏତେ ବ୍ୟଥା ।

କୈକେୟୀ-

ଖଙ୍ଗ ନ ବୁଝିବୁ ବାପ, ଦେବାସୁର ଯୁଦ୍ଧେ ତୋର ପିତା ଯାଚିଥିଲେ ବର, ମାଗନ୍ତେ ମୁଁ ତାହା ନାଥ ଆଜି ହୁଅନ୍ତି ଅଧୀର ।

ରାମ-

କି ବର ପ୍ରକାଶନ୍ତୁ ?

କୈକେୟୀ-

ବାପ, ପ୍ରଥମ ବରରେ ମୋର ପୁତ୍ର ଭରତ ତୋହ ପରିବର୍ତ୍ତେ ଯୌବରାଜ୍ୟେ ଅଭିଷିକ୍ତ ହେବ ଅଯୋଧ୍ୟା କଟକେ ।

 

 

ରାମ-

ଗୀତ

ଐଶ୍ୱର୍ଯ୍ୟେ ନାହିଁ ଭାବନା, ସେ ଯୋଗେ କିମ୍ପା ଶୋଚନା

ଅଧୀନେ କର କରୁଣା ଅନ୍ୟ କି ଭବିଷ୍ୟ ମା ।।

 

 

 

କି ଛାର ସମ୍ପଦ, ନୁହେଁ ମୁହିଁ ଐଶ୍ୱର୍ଯ୍ୟ ପ୍ରୟାସୀ । ମା, ଦୟାକରି ପ୍ରକାଶ ଅନ୍ୟଟି-

 

 

କୈକେୟୀ-

ବଡ଼ ଗୁରୁତର କଥା, କହିବାକୁ ବଡ଼ ଭୟ ଲାଗେ ମୋତେ ।

ରାମ-

ଆଉ କିମ୍ପା ଛନ୍ଦ ?

କୈକେୟୀ-

ବାପ ! ଭ୍ରମବଶେ ମାଗିଅଛି ଗୁରୁତର ବର; ଆଜିଠାରୁ ଚୌଦବର୍ଷକାଳ ଜଟା ବଳ୍‌କଳ ସାଜି ଯିବୁ ବନବାସେ ।

ରାମ-

ଗୀତ

ଏକଥା ଛାରକୁ କିନା,      ନ ହୁଅ ମାତ ବିମନା

ପୂର୍ଣ୍ଣ କରିବି କାମନା ଲଭିବି ଆଶିଷ ମା ।।

 

 

 

ମା ! ଏ ସାମାନ୍ୟ କଥାରେ ଏତେ କିମ୍ପା ବ୍ୟସ୍ତ । ଜଣାଅ ମା ଅଙ୍ଗୀକାର କଲାଣି ସନ୍ତାନ ।

 

ଗୀତ

ବିହି ଯା ଲେଖିଛି କର୍ମେ,      ସହିବାକୁ ହେବ ଦିନେ

ଦୀନ ବାଳକୃଷ୍ଣ ଭଣେ କେ କରିବ ହ୍ରାସ ମା ।।

 

 

 

ମା ! ବିଧାତା ଯା କପାଳେ ଲେଖିଛି, ତା ନିଶ୍ଚୟ ଭୋଗ କରିବାକୁ ହେବ । ତେବେ ଚିନ୍ତା କଣ ?

କୈକେୟୀ-

ନାଥ ! ଉଠିବେ ନାହିଁ କି ? ଦେଖନ୍ତୁ ପୁତ୍ର ତବ ଆଗେ ଉପବିଷ୍ଟ ।

ଦଶ-

କିଏ-ରାମ-ଓହୋଃ ।

ରାମ-

ପିତା, ପିତା-

ଦଶ-

କିଏ ପିତା, ନା ଏ ପାତକୀ ତୋର ଜୀବନର ହନ୍ତା । ଏ ପାଷାଣ୍ଡୀ କବଳରେ ପଡ଼ି ତୋତେ- (ମୂର୍ଚ୍ଛା)

ରାମ-

(ପୁନଃ ସଚେତ କରି) ଜାଣିଲିଣି ସମସ୍ତ ବୃତ୍ତାନ୍ତ, ଧୈର୍ଯ୍ୟ ଧର ତାତ ! ସତ୍ୟ ତବ ଯାହା ପାଳିବି ନିୟତ ।

 

 

ଦଶ-

ଗୀତ

କେମନ୍ତେ ମୂର୍ଚ୍ଛିବି ଧନ ମୋ ପରାଣ ନିଧି ରେ ।

ପାଷାଣ୍ଡୀ କବଳେ ପଡ଼ି ହରାଇଲି ସିଦ୍ଧି ରେ । ଘୋଷା ।

ତୁ ମୋ ଅନ୍ଧର ନୟନ,

କେମନ୍ତେ ତେଜିବି ବନ

ଧିକ ଧିକ ମୋର ପଣ ବାମ ହେଲା ବିଧି ରେ । ୧ ।

 

ବାପ ! ଏ ପାଷାଣ୍ଡୀ କବଳରେ ପଡ଼ି ଚିରଦିନ ପାଇଁ ତୋତେ କଣ ହରାଇ ବସିବି ? ବାପ ! ମୁଁ ସତ୍ୟ ଭଙ୍ଗ କରିବାର ପ୍ରତିଫଳ ପଛେ ପାଇବି; କିନ୍ତୁ ଏ ରାକ୍ଷସୀ କଥାରେ ମୁଁ ତୋତେ କେଭେ ବନକୁ ପଠାଇବି ନାହିଁ ।

 

ଗୀତ

ହେଉ ମୋ ପ୍ରତିଜ୍ଞା ଭ୍ରଷ୍ଟ

ନ ଛାଡ଼ିବି କୁଳଶ୍ରେଷ୍ଠ

ଧିକ ମୋର ଧର୍ମନଷ୍ଟ ହୁଏ ଅପରାଧୀ ରେ ।

(ବାତୁଳବତ୍‌) ଚାଲ ବାପ ! ଅଭିଷେକ କାର୍ଯ୍ୟ ଆରମ୍ଭ କରିବି ।

 

ଗୀତ

ହେଉ ନାରୀହତ୍ୟା ଦୋଷ,

କୈକେୟୀ କରିବି ନାଶ

ଅକଳଙ୍କ ସୂର୍ଯ୍ୟବଂଶେ ହେଲା ପ୍ରତିବାଦୀ । ୩ ।

 

କାହିଁ ଅସ୍ତ୍ର, ପାଷାଣ୍ଡୀକି ଦ୍ୱିଖଣ୍ଡିତ କରିବି ଏକ୍ଷଣି । ପାପ ପୁଣ୍ୟେ ନାହିଁ ମୋ ଶୋଚନା, ସୂର୍ଯ୍ୟବଂଶ କଳଙ୍କ ଏ । ମୁଢ଼ାର ଉପଯୁକ୍ତ ପ୍ରାୟଶ୍ଚିତ୍ତ ଏହି । ଭଙ୍ଗ ତୁରେ ନ ଦିଅ ସନ୍ତାନ ।

ରାମ-

ପ୍ରତିଜ୍ଞା ଲଘଂନ ବାଧା ନୁହେ ତବ ପକ୍ଷେ, ଅଧୀନର ବାଧା ହେବ ନିଶ୍ଚେ ତାତ । ଗୁରୁତର ଅଙ୍ଗୀକାର କରିଛନ୍ତି ଯାହା, ଧୀର ଚିତ୍ତେ ପାଳିବି ଅବଶ୍ୟ । ଭିକ୍ଷୁକକୁ ଭିକ୍ଷା ଦେବ କୋମଳ ବଚନେ, କ୍ରୋଧ ଦ୍ୱାରା ଘଟିପାରେ ତ୍ରୁଟି ।

 

 

ଦଶରଥ-

ଗୀତ

ଅନ୍ଧମୁନି ଶାପ ମୋତେ

ଫଳ ହେଲା ଏ ମୁହୂର୍ତ୍ତେ

ଦୀନ ବାଳକୃଷ୍ଣ ଚିନ୍ତେ,

ଘୋଟିଲା ଏ ବ୍ୟାଧି ରେ । ୪ ।

 

ମୋର ଅର୍ଜିଲା କର୍ମ, କେବା କରିବ ଆନ । ପୂର୍ବୁ ଅନ୍ଧମୁନି ଦଣ୍ଡ ବିହିଥିଲେ, ମୋତେ, ଅନ୍ୟଥା ହୋଇବ କାହୁଁ । ମୃତ୍ୟୁକାଳେ ପୁତ୍ର ମୁଖ ଦେଖା ହେଲା ଶୂନ୍ୟ, ଋଷିବାକ୍ୟ କେ କରେ ଖଣ୍ଡନ ।

 

 

ରାମ-

ଗୀତ

ଥାଅ ଜନକ ଜନନୀ ହେ

ତବ କୋଳରୁ ହେଲି ମେଲାଣି

ଜନକ ପ୍ରତିମ ଜନକର ଜେମା

ଯତ୍ନେ ସମ୍ଭାଳିବ ଆଣି । ଘୋଷା ।

ଜନନି ! ଦିଅନ୍ତୁ ମେଲାଣି ଅଧୀନେ ।

 

ଗୀତ

ମାତା ତାତ ତୋତେ ଲାଗିଲେ ମୋହର

ଯେମନ୍ତେ ମୋ ଲାଗି ନ ହେବେ କାତର

ବିଧାତା ହୁନ୍ଦର କେ କରିବ ଦୂର

ନ କର ବୃଥା ଭାଳେଣି । ୧ ।

 

ମାତା ! ପିତା ମୋ ବିଚ୍ଛେଦେ ହୁଅନ୍ତି ଅଧୀର, କର ତାଙ୍କୁ ପ୍ରବୋଧନା କୋମଳ ବଚନେ ।

 

 

 

ଗୀତ

ଦିଅ ପଦରେଣୁ ଅଧମ ସନ୍ତାନେ

କ୍ଷମା ଦେବ ଦୋଷୀ ଯେବେ ମୁଁ ଅଜ୍ଞାନେ

ବାଳକୃଷ୍ଣ ଭଣେ, ଥାଅ ଗୋ ସଦନେ

ସହାୟ ମୋତେ ଭବାନୀ ।

 

ମା ! ଆଶୀର୍ବାଦ ଦିଅ ଏ ଅଧମେ, ଯେମନ୍ତେ ମୁଁ ମଙ୍ଗଳରେ ଫେରିବି ସଦନେ ।

କୈକେୟୀ-

ଯିବ ବାପ ! କେମନ୍ତେ ଧରିବି ପ୍ରାଣ ନ ଦେଖି ତୋ ମୁଖ ।

 

( ଅଭିବାଦନାନ୍ତେ ରାମର ପ୍ରସ୍ଥାନ )

 

————————

 

ପଞ୍ଚମ ଦୃଶ୍ୟ

ପଥରେ ରାମ ଓ ଲକ୍ଷ୍ମଣ

ରାମ-

ବାବୁ ଲକ୍ଷ୍ମଣ ! ଶୁଣିଲ ତ ସବୁ, ଅଧିକରେ ନାହିଁ ପ୍ରୟୋଜନ । ଯାଉଛି ମୁଁ ଅଗମ୍ୟ ବନସ୍ତେ, ଫେରିବି ଚୌଦ ବର୍ଷ ଅନ୍ତେ, ସେବୁଥିବୁ ନିରନ୍ତର ମାତା ପିତାଙ୍କ ପୟର ।

 

 

ଲକ୍ଷ୍ମଣ-

କେଣେ ଯିବ ଭ୍ରାତ ! ସଲିଳ ବିହୁନେ ପଦ୍ମ ବଞ୍ଚିବ କିପରି ? ପ୍ରାଣ ଯାଉ ଅବା ରହୁ, ରାମ ବିନା ଲକ୍ଷ୍ମଣର ନାହିଁ ଅନ୍ୟ ଗତି ।

 

 

ରାମ-

ବଡ଼ ବିଷମ କଥା, ତୁ ଏ ହତଭାଗା ସଙ୍ଗରେ ଯାଇ କଣ କରିବୁ ?

ଲକ୍ଷ୍ମଣ-

ଗୀତ

ସହୋଦର ଅନାଦର ଆଜି କାହିଁକି

କେମନ୍ତେ ବଞ୍ଚିବି ଦିନ କାହା ମୁଖ ଚାହିଁକି ।

ଏ ଛାର ଐଶ୍ୱର୍ଯ୍ୟ      ନୁହେ ମୋର ଯୋଗ୍ୟ

ଅଯୋଗ୍ୟ ମୁଁ ମଣେ ତହିଁକି ।

ଶ୍ରୀପଦ ପଙ୍କଜ      ହେଉ ମୋତେ ଭୋଗ୍ୟ

ସୌଭାଗ୍ୟ ମଣିବି ଦେହୀକି । ୧ ।

 

ଭାଇ ! ନାହିଁ ପ୍ରୟୋଜନ ମୋର ଏ ଛାର ସମ୍ପଦେ । ଆପଦେ ବିପଦେ ଶ୍ରୀଚରଣ ସେବା ମଣେ ମୁହିଁ ଭାଗ୍ୟବାନ ।

 

ଗୀତ

ହେ ଜାନକୀକାନ୍ତ,      ନିଅନ୍ତୁ ସଙ୍ଗତ,

ଅନ୍ତର ହେଉଛି ଦେହୀକି ।

ମୁଁ ତ ଅନୁଗତ      କିପାଇଁ କପଟ

ଦୀନ ବାଳକୃଷ୍ଣ ପଦ ଧ୍ୟାୟିକି । ୨ ।

 

ଅନୁଗତ ଜନେ କିମ୍ପା ଦିଅ ଏତେ ବ୍ୟଥା, ଅନିତ୍ୟ ସମ୍ପଦେ ନୁହେଁ ମୁଁ ପ୍ରୟାସୀ, ଭିକ୍ଷା ମୋର ପଦଧୂଳି ।

ରାମ-

ନ ହୁଅ ଅଧୈର୍ଯ୍ୟ ବାବୁ, ଯାହା ଇଚ୍ଛା କର ତୁହି ସ୍ୱଚ୍ଛେ, କିନ୍ତୁ କାନନରେ ବଡ଼ କ୍ଳେଶ ସହିବୁ ଗୋ ବାବୁ, ସେଥିଯୋଗୁଁ ଭାଙ୍ଗୁଥିଲି ମୁହିଁ ।

 

————————

 

ତୃତୀୟ ଅଙ୍କ

ପ୍ରଥମ ଦୃଶ୍ୟ

ଦୁଇ ଜଣ ବ୍ରାହ୍ମଣ

ଗୀତ

ଆସ କିଏ ଗରିବ ଦ୍ୱିଜ

କଲିକତା ଆମ୍ଭ ସଙ୍ଗରେ ଯିବ ହେ

ଜଜମାନ ବୃତ୍ତି ବଡ଼ ଛଟପଟ

ପାଠଶାଠେ ଏତେ କିଏ ମଜ୍ଜିବ । ଘୋଷା ।

 

ବିଭା ବ୍ରତ ଶ୍ରାଦ୍ଧ ମଉଳା

ଏଥିକି ରେ ମନ ନ ବଳା

କାଳେ କଣ୍ଡାଗଳା ତୁଟିବ ବିକଳା

ହସ୍ତାକେ ପଡ଼ିବ ନ ଟଙ୍କା ରୋଜ । ୧ ।

 

ତହୁଁ ଯେବେ ଅଧିକ ମନ,

ରାନ୍ଧଣାରେ ହେବା ନିପୁଣ

ଡାଲି ସରୁ ଅନ୍ନ ଭାଜି ଅଣ୍ଡାଡ଼ିମ,

ଯୋଗାଇ ରଖିବା ବଙ୍ଗାଳି କାର୍ଯ୍ୟ । ୨ ।

 

ଆମ୍ଭେ ଜଣେ ପୁରା ବିଦେଶୀ,

ବଙ୍ଗଳାରେ କଟାଉ ବସି

ଥୋଡ଼ା ଇଙ୍ଗିଲିଶି, ନୁହେ ଥୋଡ଼ାବେଶି

ପଢ଼ିଥିଲେ ଭାଇ ଛାଡ଼ ମଉଜ । ୩ ।

 

ଯେ ବା କରୁଥିବ ଏସନ,

ହେତୁ କର ଖଙ୍ଗ ନ ମଣ,

ବିଦ୍ୟା ଅଭ୍ୟାସିଣ ପଣ୍ଡିତରେ ଗଣ୍ୟ

ହୁଅ ଏହି ତହିଁ ନୁହେ ନାରାଜ । ୪ ।

 

 

ନନା ! ମୁଁ ସକାଳୁ ପୁଞ୍ଜିଏ ପଖାଳ ସାରି କଲିକତାରୁ ଯାତ୍ରା କରୁଥିଲି । କିନ୍ତୁ ବଡ଼ ବୋହୂ ବାପଘରୁ ପୁଞ୍ଜିଏ ଶୁଖୁଆ ଆସି ପହଞ୍ଚିଲା, ଆଉ କି ମନଟା ସମ୍ଭାଳି ରହେ । ସଜ ପଖାଳ, ସଜ ଦହି, ସାରିଆ ମା, ସନ୍ତୁଳିଥିବା ସଜନା ଶାଗ ପୁଣି ଶୁଖୁଆ । ଆ! ଏ ମଉଜଟା ଛାଡ଼ି ବିଦେଶ କରିଯିବା ଭଲ ନୁହେ । ଭାବି ଭାବି ସ୍ଥିର କରିଛି, ହଠାତ୍‌ ଶୁଣିଲି ଯେ ଆଜି ରାମ ଚନ୍ଦ୍ର ଯୁବରାଜ ପଦରେ ଅଭିଷିକ୍ତ ହେଉଛନ୍ତି । ବହୁତ ଧନ ଦଉଲତ ବଣ୍ଟନ ହେବ, ସେଇଠୁ ତ ଧପାଳିଛୁଁ । ଏ ମେଲେରିଆ ଜ୍ୱରରେ ତୁଣ୍ଡଟା ବଡ଼ ଅରୁଚି ହୋଇ ଯାଇଛି, ଖାଲି ଆମ୍ବୁଲରାଇ ସଢ଼େଇଏ ହାମ୍ପୁଡ଼ିବି। ଚାଲ, ଜୟ ରାମଚନ୍ଦ୍ରଙ୍କର ଜୟ ।

 

 

ଦୂତ-

ଗୋଳମାଳ କରନା, କାହାର କଣ ହେଲାଣି, ଏ ଗୁଡ଼ାକଙ୍କର ଖାଲି ପେଟ ଚିନ୍ତା ।

 

ଗୀତ

ନନା ସରିଲାଣି ଦୟା ଧରମ ରେ

ପୋଡ଼ା କରମ । ଘୋଷା ।

ଏ ଅଯୋଧ୍ୟା ଧାମ            ହେଲା ଆଜି ଶୂନ୍ୟ

ଦଇବର ଦୁର୍ଘଟନ ରେ । ୧ ।

ନାରୀ ଫାନ୍ଦେ ପଡ଼ି            ରାଜାଗଲେ ବୁଡ଼ି

ରାମେ ତେଜୁଛନ୍ତି ବନରେ । ୨ ।

 

ଯେଉଁ ସରୁଚୂଡ଼ା            ହୁଡ଼ୁମ ଉଖୁଡ଼ା

କିଏ କରିବ ଭୋଜନ ରେ । ୩ ।

କୈକେୟୀ ଭଗାରି            ନ ଦେଖିଲା ଶିରୀ

ରାମେ କଲା ଦୋଷ ମନରେ । ୪ ।

 

ଯେଉଁ ବସାଦହି            ଆମ୍ବୁଲର ରାଇ

ପୁରୀ ଲଡ଼ୁ ଆକଳନରେ । ୫ ।

ପୂର୍ଣ୍ଣିମାର ଶଶୀ            ଦେଲା ରାହୁ ଗ୍ରାସୀ

ଅମାସ୍ୟାରେ ପରିପୂର୍ଣ୍ଣ ରେ । ୬ ।

 

ଚଉଦ ବରଷ            ଯିବେ ବନବାସ

କେମନ୍ତେ ଧରିବା ପ୍ରାଣ ରେ । ୭ ।

କହେ ବାଳକୃଷ୍ଣ            ତେଜିବେ କଟକ

ଝୁରୁ ଝୁରୁ ଯିବ ଦିନରେ । ୮ ।

 

ନାନା ! ତୁମ୍ଭେମାନେ ଫେରିଯାଅ, ରାଜା ତୁମ୍ଭମାନଙ୍କୁ ଦେଖିଲେ ଆହୁରି ଅଧୈର୍ଯ୍ୟ ହେବେ । ନନା ! କଣ କରିବା କହିଲ, ମୋ ଘରବାଳା ଟିକିଏ ଅସଜିଲା ମଣିଷ, କିଛି ଅପୂର୍ବ ସପୂର୍ବ ରକମ ଦିଟା ତୁମ୍ଭ ହାତରେ ଦେଇଥାନ୍ତି, କଣ ହେବ ! ଆମ କର୍ମ ଖରାପ ।

ବ୍ରାହ୍ମଣ-

କଣ କହିଲୁ, ସତେ କୈକେୟୀ ତୁ ଆମ ଦାନାରେ ଧୂଳି ଦେଲୁ, ଭଷ୍ମହୋଇ ଯା, ଦ୍ୱାରୀପୁଅ କୁ ନିଅଂଶିଆ ଆମ୍ଭର କେଡ଼େ ବଡ଼ ଆଶାଟାଏ ରୋକିଦେଲୁ, ତୁ ବେହିପୋ ତା ସଙ୍ଗରେ ଭଷ୍ମ ହୋ ।

ଦୂତ-

ଆଚ୍ଛା ବ୍ରାହ୍ମଣ ଏ, ମୁଁ ଭଲ କହିଲାକୁ ମୋତେ ଅଭିଶାପ ।

 

————————

 

ଦ୍ୱିତୀୟ ଦୃଶ୍ୟ

କୌଶଲ୍ୟା-

ଏ କି ଜନରବ, କେଉଁ ରାମ ବନକୁ ଯାଉଛି ନା ମୁଁ ଭ୍ରମରେ ପଡ଼ିଛି ! ମୋର ପୁଅ ତ ରାଜଗାଦିରେ ବସିବ, ମୁଁ କାହିଁକି ମନେ ମନେ ମନ୍ଦ ପାଞ୍ଚ କରୁଛି ।

 

 

ସୀତା-

ମା ! ତୁମ୍ଭଙ୍କୁ ଅନ୍ୟମନସ୍କ ଦେଖୁଛି କାହିଁକି ? କଣ ଏତେ ଭାବୁଛ ?

କୌଶଲ୍ୟା-

କେ ଜାଣି ମନଟା କାହିଁକି କଣ ହୋଇଗଲା, ମୁଣ୍ଡଟା ଭ୍ରମିଗଲା ।

 

 

ସୀତା-

କାଲି ରାତ୍ରି ଉଜାଗର ହେତୁ ମଥା ଭ୍ରମ ହେଉଛି, ଟିକିଏ ବସି ପଡ଼ନ୍ତୁ, ମୁଁ ପଦସେବା କରିଦିଏ ।

 

(ରାମ ଲକ୍ଷ୍ମଣଙ୍କ ପ୍ରବେଶ, ସୀତା ଅଭ୍ୟନ୍ତରକୁ ଯିବା ।)

କୌଶଲ୍ୟା-

(ଗୀତ)

କହ କହ ବାପଧନ ମନ ଊଣା କାହିଁକି

ଚନ୍ଦ୍ର ଆନନ ଦିଶେ ମଳିନ

ଏ ପୋଡ଼ା ପରାଣ ଦିଏ ଦହିଟି

ତୋ ମୁଖ ଚାହିଁକି । ଘୋଷା ।

କଲୁ କାହାରେ ଦ୍ୱନ୍ଦ କେବା ପାଞ୍ଚିଲା ମନ୍ଦ

କାହିଁକି ବଳିଛି ସଧ କଳି ନ ପାରେ ଭେଦ,

ଖେଦ ତେଜ ରେ ତନୁଜ

ସହ୍ୟ ନୁହେ ଦେହୀକି । ୧ ।

 

ବାପ ! କାଳିମା ପଡ଼ିଛି କିମ୍ପା ତୋ ମୁଖପଙ୍କଜ । କି କାର୍ଯ୍ୟରେ ଯାଇଥିଲୁ ତୁ ରେ, ହସି କିମ୍ପା ନ କହୁଛୁ କଥା, ଦଗ୍‌ଧ ପରଣ ଦେଖି ତୋ ବିଷାଦ, ମର୍ମାହତ ହେଉଅଛି ଆଜି ।

 

ଗୀତ

କିବା ରାଜ କାର୍ଯ୍ୟରେ,      ଚିନ୍ତାକରୁ ଧୈର୍ଯ୍ୟ ରେ

କୀର୍ତ୍ତିଯଶ ଅର୍ଜରେ            ପୃଥ୍ୱୀ ହେଉ ଧାର୍ଯ୍ୟ ରେ

ଏ ଐଶ୍ଚର୍ଯ୍ୟ ତୋର ଯୋଗ୍ୟ ବାଳାମଣି କହିଟି । ୨ ।

 

ରାଜନୀତି ଶିକ୍ଷାରେ କଣ ନିପୁଣ ହୋଇ ନାହୁଁ, ସେଥିନିମିତ୍ତ ଏ ରାଜ୍ୟ ଭାର ଚଳାଇବାକୁ ଭୟ କରୁଛୁ ? ନା ବାପ ! ପିତା ତୋର ସମସ୍ତ ଚଳାଇବେ, କିନ୍ତୁ ତୋ ମସ୍ତକରେ ରାଜମୁକୁଟ ଦେଖି ଏ ପାପନେତ୍ର ସାର୍ଥକ କରିବି । ତେବେ ବାପ ମନ ଊଣା କାହିଁକି ? ଆହା କେତେ ଗୁଡ଼ାଏ ଝାଳ ବହିଲାଣି ।

 

 

ରାମ-

ଗୀତ

( ଅଶ୍ରୁଶିକ୍ତ କଣ୍ଠେ )

କି କହିବି ଜନନୀ ଲୋ, ବିଧି ବାମ ହେଲାଣି ।

ତୋ ଅଞ୍ଚଳ ନିଧିକି ଚଞ୍ଚଳ କର ମେଲାଣି । ଘୋଷା ।

ଭାଗ୍ୟେ ନାହିଁଟି ମୋହରି, ଭୋଗ କାହୁଁ ବସୁନ୍ଧରୀ

ତେଜୁଛି ମା ସୁଖଶିରୀ ନ କର ତୁ ଭାଳେଣି । ୧ ।

 

ମା ! ବିଧାତାର ବଳକୁ ମନୁଷ୍ୟର ଆୟତ୍ତ ନାହିଁ । ତେବେ ମୁଁ ବର୍ତ୍ତମାନ ପିତାଙ୍କର ଧର୍ମ ଓ ସତ୍ୟରକ୍ଷାର୍ଥେ, ଏ ରାଜଭବନ ପରିତ୍ୟାଗ କରି ଜଟା କୌପୀନ ଧାରଣ କରିବି ।

କୌଶଲ୍ୟା-

ବାପ କଣ ପାଗଳ ହେଲୁ କି, ଏପରି କାହିଁକି କହୁଛୁ ? ତୋର ପିତା ତୋତେ କଣ କିଛି କହିଲେ କି ? ଯେବେ ଭ୍ରମବଶତଃ କୌଣସି ଗାଳିଗୁଲଜ କରିଥାନ୍ତି, ତେବେ ତୋର ହିତ ପାଇଁ ବା ଅନ୍ୟ କିଛି କଳି ତକରାର ହୋଇଛି ।

 

 

ରାମ-

ଗୀତ

କର୍ମ ବିନା ଏ ଜଗତେ       ବନ୍ଧ ନାହିଁ ଅନ୍ୟପଥେ

ଖଳ ପାଞ୍ଚିବ କେ ମୋତେ ଗଲା କଥା ଗଲାଣି । ୨ ।

 

ମା ! ମୋତେ ଖଳ କେ ପାଞ୍ଚିବ, କର୍ମ ମୋତେ ଏ ରାଜ ସୁଖରୁ ବଞ୍ଚିତ କରୁଛି ।

କୌଶଲ୍ୟା-

ବାପ ! କଣ ହେଲା ସ୍ପଷ୍ଟ କହ, ମୋ ରାଣଟି ।

 

 

ରାମ-

ଗୀତ

ଭରତରେ ସିଂହାସନ,      ଦେଇ ଭ୍ରମିବି କାନନ

ଦ୍ୱିସପ୍ତବର୍ଷ ଅନ୍ତେଣ ହୋଇବି ଏଥି କାରେଣି ।।

 

ମା ! ଭରତରେ ଏ ସିଂହାସନ ଦେଇ ଚୌଦବର୍ଷ ନିମିତ୍ତ ବନକୁ ଯିବି ।

 

ଗୀତ

ବୈମାତ୍ରୀ ଦଣ୍ଡିଲେ ଯାହା, କେ ତୁଟାଇ ପାରେ ତାହା

ବାଳକୃଷ୍ଣ ଭାଷେ ଏହା ଯା ହେବାର ହେଲାଣି । ୪ ।

 

ମା ! ପିତା ଦେବାସୁର ଯୁଦ୍ଧ ସମୟରୁ ଦୁଇଗୋଟି ବର ଦେବେ ବୋଲି ବିମାତାଙ୍କ ନିକଟରେ ପ୍ରତିଶ୍ରୁତି ଥିବାରୁ ଆଜି ଫଳରେ ଏ ଦଶା ଘଟିଲା । ତେବେ ଆପଣ ମୋତେ ଆନନ୍ଦରେ ମେଲାଣି ଦିଅନ୍ତୁ ।

କୌଶଲ୍ୟା-

ଗୀତ

ରଙ୍କ ରତନ ମୋ ହାରାନିଧିରେ,

ତୁହି ମୋ ବ୍ୟାଧି ଔଷଧି ।

ତୋ ଚନ୍ଦ୍ରବଦନ ହରାଇ କେସନେ

ପରାଣ ସତେ ଧରିବି । ଘୋଷା ।

 

ବାପ ! ତୋର ଏ ଅକଳଙ୍କ ଚନ୍ଦ୍ର ବଦନକୁ ହରାଇ ଆଉ କଣ ସତେ ପ୍ରାଣ ଧରି ରହି ପାରିବି, ବାପ ମୋର ତୁ କୁଆଡ଼େ ଯା ନା ।

ରାମ-

ମା ! ଲେଖାଅଛି ‘ଯଦ୍‌ଧାତା ନିଜ ଭାଲପଟେ ଲିଖିତ କର୍ମାନୁସାରେ ଫଳଂ ।’ ତେବେ ଯାହା ଭାଗ୍ୟରେ ଥିବ, ତାର ଆନ କରିବା ଶକ୍ତି କାର ।

 

 

କୌଶଲ୍ୟା-

ଗୀତ

ବନଜ ମୁଖକୁ ବନକୁ ଦେଇ,

କିପରି ବଞ୍ଚିବି କା ମୁଖ ଚାହିଁ,

ଧିକ ମନ୍ଦବିହି ଅହି ପ୍ରାୟ ହୋଇ,

ସାହାକୁ ମୋ ଦେଲୁ ଛେଦି । ୧ ।

 

ବାପ ! ଯେବେ ବନକୁ ଯାଉଛୁ, ତେବେ ମୋତେ ସଙ୍ଗରେ ନେଇ ଯା ।

ରାମ-

ଏ କେଉଁ କଥା, ଆପଣ ଏପରି ଅଧୀରା ହେଲେ ପିତାଙ୍କୁ ପ୍ରବୋଧନା କରିବ କିଏ ?

 

ଗୀତ

ଧିକ ତୁ କୈକେୟୀ ଧିକ ତୋ ବୁଦ୍ଧି,

ମୋ ପୁତ୍ରେ ହରାଇ ଅର୍ଜିଲୁ କି ସିଦ୍ଧି ।

କିମ୍ପା ଦାଉସାଧି କଲୁ ଏ ଅବିଧି,

ପାଞ୍ଚ ଏତେ କୂଟ ଫନ୍ଦି । ୨ ।

 

ଲୋ ପାପିଷ୍ଠୀ କୈକେୟୀ ! ତୋର ଏତେଦୂର ଛନ୍ଦ । ମୋର କୁଳଚନ୍ଦ୍ରମାକୁ କୋଳରୁ ଛଡ଼ାଇ ନେଇ କାଳ ମୁଖକୁ ପେଲିଦେଉଛୁ । ମୁଁ ଭଲା ତୋର କି ଅନିଷ୍ଟ କରିଥିଲି ଯେ, ମୋ ପ୍ରତି ତୋର ଏଡ଼େ ବିଡ଼ମ୍ବନା ।

ରାମ-

ମା ! ଦଇବ ବଳକୁ ନାହିଁ କାର ବଳ । କିଏ ମାତା କିଏ ପିତା, କିଏ କାର ପୁତ୍ର, ସେ ସମସ୍ତ କାଳର ଅଧୀନ ।

 

 

କୌଶଲ୍ୟା-

ଗୀତ

ବନବାସେ ଗଲେ ନିଅ ମୋ ଜୀବନ,

ସର୍ବ ଶୂନ୍ୟ ଦିଶେ ତୋ ବିନା ନନ୍ଦନ,

ରେ ଗଳାରତନ ପୂରିଲା ନିଦାନ,

ବାଳୀରେ ନ ଦିଶେ ବୁଦ୍ଧି । ୩ ।

ରାମ-

ମା ! ଧୈର୍ଯ୍ୟଧର, ବାବୁ ରେ ଲକ୍ଷ୍ମଣ ମାଙ୍କୁ ପ୍ରବୋଧନା କର । ମୁଁ ଆସୁଛି ।

 

(ରାମ ସୀତାଙ୍କ ପ୍ରତି)

ରାମ-

ଗୀତ

ଶରଦଚନ୍ଦ୍ରବଦନା ! ମୋ       ନୀରଦ-କେଶୀ ରେ ।

ଦ୍ୱିରଦରଦ ପଲ୍ୟଙ୍କେ ଦେଖିବି ନାହିଁ,

ରେ ରଙ୍କରତନ ! କରି ଆଲିଙ୍ଗନ,

ତୋ ଅଙ୍କ କୁଙ୍କୁମ ଆଉ ମାଖିବି ନାହିଁ । ଘୋଷା ।

 

ପ୍ରିୟେ ! ତୁମ୍ଭ ଆମ୍ଭର ସୁଖ ଯେତେ ଦିନ ହେବାର ଥିଲା ହୋଇଗଲା, ଏଣିକି ତୁମ୍ଭ ସୁଖରୁ ବିଧାତା ବଞ୍ଚିତ କରିଲାଣି ।

ସୀତା-

ନାଥ ! ମୁଁ କଣ ଅଯୋଗ୍ୟା ହେଲି ?

ରାମ-

ପ୍ରିୟେ ! ତୁମ୍ଭପରି କନକପ୍ରତିମାକୁ ହରାଇ ଏ ଜୀବନରେ ଯେ ଅନ୍ୟ ସୁଖ ଇଚ୍ଛା କରିଛି, ତାହା ନୁହେଁ ।

 

 

 

ଗୀତ

ପୀନଉରଜୁଁ ଝୀନ ବସନ ହେଲା ଶୂନ୍ୟ

ଯତି ହେବେ ଅଜ୍ଞାନ ରତୀ ନୁହେ ଭାଜନ

ସେ କୋଳରୁ ବିଚ୍ଛିନ୍ନ ହେଲି ରେ ସହୀ,

ସେ ମନ୍ଦ ବିହି            ହେଲାଣି ଦ୍ରୋହୀ

ସହୀ ତୋ ପ୍ରୀତି ସୁଧା ଚାଖିବି ନାହିଁ । ୧ ।

 

ପ୍ରିୟସହୀ ! ଏ ଜୀବନରେ ଆଉ ତୋର ସେହି ବୀଣାଜିଣା ଅମୃତମୟ ବାଣୀ ଶୁଣିବାକୁ ଦଣ୍ଡେ ହେଲେ ଅବସର ନାହିଁ ।

ସୀତା-

ନାଥ ! ଅବଳା ଛାରରେ ଏତେ ଛନ୍ଦ କିମ୍ପା, ସନ୍ଦେହ ଜନ୍ମୁଛି ଚିତ୍ତେ, ପ୍ରକାଶନ୍ତୁ ସମସ୍ତ ବୃତ୍ତାନ୍ତ ।

ରାମ-

ଗୀତ

ବୈମାତ୍ରି କଲେ ପର      ଭରତ ଦେଲେ ଚିର,

ଦ୍ୱିସପ୍ତବର୍ଷ କାଳ ବନବାସ ମୋହର

ସଉମିତ୍ରୀ ସହିତେ ଯାଉଛି ମୁହିଁ

ଖେଦ ନ ବହି            ଥାଅ ରେ ସହି,

ବାଳକୃଷ୍ଣ କହଇ ଲେଖିଛି ବିହି ।

 

ବିମାତା କୈକେୟୀ ପିତାଙ୍କୁ ସତ୍ୟ କରାଇ ତାଙ୍କ ପୁତ୍ର ଭରତ ନିମିତ୍ତ ରାଜ୍ୟାଧିକାର ନେଇ ମୋତେ ନବ ପଞ୍ଚବର୍ଷ ନିମିତ୍ତ ନିର୍ବାସିତ କରିଅଛନ୍ତି । ମୁଁ ବର୍ତ୍ତମାନ ସେହି ପିତୃସତ୍ୟ ରକ୍ଷଣାର୍ଥେ ବନଗାମୀ ହେଉଛି । ତୁମ୍ଭେ ଧୈର୍ଯ୍ୟ ସହକାରେ ଶାଶୁ ଶ୍ୱଶୁରଙ୍କୁ ପ୍ରବୋଧ ଦେବ ।

 

 

ସୀତା-

ଗୀତ

ଦୟାମୟ ଆଜି ନିର୍ଦ୍ଦୟ କିପାଇଁ

ଅଧୀନା ହୃଦ କର ବିଦୀର୍ଣ୍ଣ ।

ଏ ଲାବଣ୍ୟ ମୂର୍ତ୍ତି            ବିନା ସୀତାସତୀ

ବଞ୍ଚିବ କା ମୁଖ ଚାହିଁ ଦିନ ?

ଆହେ ଜୀବଧନ !

ଦୁଃଖିନୀ ହୃଦତଟ ଚନ୍ଦନ । ୧ ।

 

ପ୍ରାଣନାଥ ! ଏ କି ନିଷ୍ଠୁର ବ୍ୟବହାର ତବ, ଅଧୀନା କି ସେ ପଦରାଜିବ ଛାଡ଼ି ସତେ ପ୍ରାଣରେ ରହିବ ?

ରାମ-

ସେ ମୋ ଦୁର୍ଭାଗ୍ୟର କଥା ।

 

 

ସୀତା-

ଗୀତ

ପଙ୍କଜିନୀ ସତେ            ତେଜିବ ରବିକି

ସଲିଳ କି ମୂର୍ଚ୍ଛି ବଞ୍ଚେ ମୀନ ପ୍ରୀତି

ତବ ସୁଧାପର୍ଣ୍ଣ            ଶ୍ରୀମୁଖ ଛବି କି ଦରଶନ

ପବିତ୍ର ନୟନ ! ଆହେ ଜୀବଧନ !

ଦୁଃଖିନୀ ହୃଦତଟ ଚନ୍ଦନ ।

 

ନାଥ ! ଜଳ ବିହୁନେ ମୀନ ବଞ୍ଚିବ କିପରି ? ପ୍ରାଣନାଥ, ଆପଣଙ୍କ ଚରଣତଳୁ ଅନ୍ତର ହୋଇ ସତେ ଆଉ ପ୍ରାଣ ଧରିବି । ନା ନା ନାଥ, ମୋତେ ଅନ୍ତର କରନା । ତୁମ୍ଭର ଚିର ଅନୁଗତା ଦାସୀ କି ଅନ୍ତର କରନା ।

ରାମ-

ପ୍ରେମମୟି ! ତୋହଠାରେ ମୋର ସ୍ନେହ ଓ ମମତା ଅଛି କିନା, ଯେବେ କହନ୍ତୁ ହୃଦୟ ଚିରି ଦେଖାଇ ଦେଇପାରନ୍ତି । ମୋର ଅନ୍ତର ତୋ ବିଚ୍ଛେଦରେ କାନ୍ଦୁଛି କି ନା ତା ଦୟାମୟଙ୍କୁ ଗୋଚର, ବନବାସେ ବହୁକ୍ଳେଶ ଜନ୍ମିବ । ସେଥିଯୋଗୁ ତୁମ୍ଭ ଅଭିଳାଷରେ ବାଧା ଦେଉଛି ।

 

 

ସୀତା-

ଗୀତ

ଯତି ହେଲେ ପତି            ନେବି ଭିକ୍ଷାପାତ୍ରୀ

ସର୍ବଦା ସେବିକି ଶ୍ରୀଚରଣ ।

ବାଳାମଣି ଭାବ            ନ କର ଅଭାବ

ଯିବ ପଛେ ଅଧୀନା ଜୀବନ ।

ଦୁଃଖିନୀ ହୃଦତଟ ଚନ୍ଦନ । ୩ ।

 

ପ୍ରାଣପତି; ଆପଣ ଯୋଗୀ ହେଲେ ମୁଁ ଥାଳ ଘେନି ବୁଲିବି, ହିମାଳୟ ନନ୍ଦିନୀ ଜଗତଜନନୀ ପତି ସଙ୍ଗେ ଯୋଗିନୀ ସାଜି କାଞ୍ଚନ ଦେହକୁ ଭଷ୍ମୀଭୂତ କରିଥିଲେ ତ, ମହାରାଜ ମୁଁ ସେହି ଶକ୍ତି ଅଂଶେ ଜନ୍ମ । କି ରାଜ୍ୟ, କି ସମ୍ପଦ, ମୁଁ ତୁମ୍ଭଛଡ଼ା ଅନ୍ୟ ସୁଖ ଚାହେନା ।

 

 

ରାମ-

ଏଇ ତ ଲକ୍ଷ୍ମଣ ଆସିଲାଣି, ତୁମ୍ଭର ଯଦି ଏକାନ୍ତ ଆନ୍ତରିକ ଇଚ୍ଛା ଯେ ମୋ ସହିତ ବନଗାମୀ ହେବ, ତେବେ ଯାଅ ମାତା ପିତାଙ୍କର ଅନୁମତି ଆଣ ।

 

(ମନ୍ଥରା ପ୍ରବେଶ)

ମନ୍ଥରା-

(ସ୍ୱଗତ) ଠିକ୍‌ ହୋଇଛି, ଠିକ୍‌ ହୋଇଛି, ଏଠି କନ୍ଦାକଟା, ସେଠି କନ୍ଦାକଟା, ଏଠି ଭେଁ, ସେଠି ଭେଁ, ଏଠି ଫୁସ୍‌ଫୁସ୍‌, ସେଠି ଫୁସ୍‌ଫୁସ, ମୋ ମନକୁ ବେଶ୍‌ ଆସିଛି-। ଖୁବ୍‌ ଆସିଛି, ଆଚ୍ଛା ଆସିଛି । କାନ୍ଦିଲେଣି କି ଆହୁରି କାନ୍ଦିବେ ଆଉ ଡେରି କାହିଁକି ? ‘‘ବାଳିଆ ବାଉଁଶ ଅଗ ମନ୍ଥରା ଯେବେ ଗାଁରେ ଥିବ, ରାମ ସତେ ରାଜା ହେବ । କଖାରୁ କାଟିଲେ, ଚେକି, ନାହିଁ ନାହିଁ କରୁଥିଲାଟି ଟୋକୀ, ମନ୍ଥରା ଦେଲା ସଳଖି, ଏଥର ଭରତ ଆସିଲେ କହିବି ମୋ ପାଇଁ ଗୋଟାଏ ନୂଆ କୋଠା କରିଦେବ, ମୁଁ ଆଇଛିକା କଣ କହୁଥିଲି, ହଁ ଏଇ ରଇତ ଗୁଡ଼ା ମୋର କଣ ହେବେ, ଗୋଟି ଗୋଟି କରି ଗୋଟି ଗୋଟି କରି ତଣ୍ଟିରେ ହାତ ଦେଇ ନିକାଲି ଦେବି । ଯିବେ ନାହିଁ, ହଁ, ନା ଯିବେ ନାହିଁ । ତାଙ୍କ ବୋପା, ତାଙ୍କ ଅଜା ତା ଚୌଦପୁରୁଷ ନିରିମୂଳିଆ ଖଣ୍ଡିଆ ଯୋଗିନିଖିଆ ନଈସୁଆ ଦଶହାଣ୍ଡି ଖପରା ଯିବେ ନାହିଁ ! ମୁଁ ଟିକିଏ ରାମକୁ ଟେକାଟେକି କରି ଦ ଦେଲେ ହେବ ନାହିଁ । ଶୁଣୁଛି କୁଆଡ଼େ ରାମ, ଲକ୍ଷ୍ମଣ ସୀତା ତିନି ହେଁ ଯାକ ଯାଉଛନ୍ତି, ଗଲେଇ ଭଲ । (ରାମ ପ୍ରତି ପ୍ରକାଶ୍ୟେ) ଆହା ! ଧନ ମୋର ସତେ ବଣକୁ ଯିବୁ, ଏ ଆଖିକୁ ଫୁଟେଇ ଦେଇଯିବୁ ହୁଁ, ହୁଁ (ସୀତାପ୍ରତି) ମା ତୁ କି ଯାଉଛୁ, ଆଚ୍ଛା କଲୁ, ବେଶ କଲୁ । ଏ ବଉଁଶଙ୍କ ମୁହଁ ଚାହିଁ କରି ନାହିଁ, ହଇରେ ନଖ ! ତୁ ଯାଉଛୁ, ମୋ କଥା ଆଉ ହୁଁ, ହୁଁ, ହୁଁ, କିଏ ବୁଝିବ । ଯିବତ ଯା, ଶୀଘ୍ର ଚାଲି ଯା, ସେ କୈକେୟୀ ଫେଣ ଏମିତି ହଉଛି, ଗଲେ କି ନାହିଁ, ଗଲେ କି ନାହିଁ । ମଲା ରେ ସବା ଖାଈଟା ଜନ୍ମ କରି ଥାନ୍ତା ତ ଏହା କଣ କରନ୍ତା । କପାଳ, ଓହୋଃ ତୁ ସମସ୍ତଙ୍କର ଫାଟି ଯା । ହଇରେ ବାପ ! ଏ ପୋଷାକଗୁଡ଼ା କାଢ଼ି ପକା, ଧନ ରତ୍ନ ରାଜ୍ୟର ତ ଗଲା ଇଏ ଆଉ ପାଣିଦିଆ ହବ । ମୁଁ ଯାଉଛି ବାପ, ଆଉ ଏ ଦଶା ଦେଖି ପାରିବି ନାହିଁ । ଆଇଛିକା ଭଲ ବେଳଟାଏ ଅଛି ଶୀଘ୍ର ଶୀଘ୍ର ବାହାରି ପଡ଼ ।

 

 

ରାମ-

(ଗୀତ)

ଚାଲ ସଉମିତ୍ରୀ            ଜନକ ଦୁହିତୀ

ପିତାମାତାଙ୍କୁ ବନ୍ଦିବା

ଘେନି ଆଶୀର୍ବାଦ            ତେଜିବା ସମ୍ପଦ

ବିଷାଦ ତାଙ୍କର ତୁଟାଇବା

ବିଳମ୍ବରେଟି କାର୍ଯ୍ୟ ।

ନାହିଁ ନ ଯୋଗାଇଟି ସାନୁଜ । ୧ ।

 

ବାବୁରେ ସୌମିତ୍ରି ! ଚାଲ ଏବେ ଘେନିବା ମେଲାଣି ପିତାମାତାଙ୍କର ତହୁଁ ।

 

 

ସୀତା-

ମା ! ଅନୁମତି ପ୍ରାର୍ଥନା ମୋହର, ପତି ସଙ୍ଗେ ହେବି ଅନୁଗାମୀ ।

କୌଶଲ୍ୟା-

ମା ! ହରିଥାନ୍ତି ଅବା ଦୁଃଖ ତୋ ମୁଖକୁ ଚାହିଁ, ସତେ କଣ ଯିବୁ ? ତୋ ଇଚ୍ଛାରେ ବାଧା ଦେବା ନୁହେ ମୋ କର୍ତ୍ତବ୍ୟ । କିନ୍ତୁ କେତେ କ୍ଳେଶ ସହିବୁ ତୁ ଅରଣ୍ୟ ମଧ୍ୟରେ । ମା ! ଦୁଇ ଭାଇଙ୍କର କରୁ ଅନ୍ତର ନ ହେବୁ କାହିଁ । ବାପ ରାମଚନ୍ଦ୍ର, ବୀର ଲକ୍ଷ୍ମଣ, ଏ ପାତକୀ ପରାଣ ଥାଇ କିବା ପ୍ରୟୋଜନ । ଲାଗିଲା ଜନକଜେମା ଚଳାଇବ ଯତ୍ନେ ତାକୁ ତହିଁ ।

ରାମ-

ମା । ଧୈର୍ଯ୍ୟଧର, କର ଆଶୀର୍ବାଦ, ନିର୍ବିଘ୍ନରେ ଫେରୁ ତବ କୋଳେ ।

 

 

 

(ଗୀତ)

ଥାଅ ତାତ ମାତ      ଦିଅ ଆଶୀର୍ବାଦ

ନିରାପଦେ ଫେରୁ ପୁରେ

ଲକ୍ଷ୍ମଣ ମୈଥିଳୀ      ଲଗାଇଲେ ଅଳି

ସାଦରେ ନେଉଛି ସଙ୍ଗରେ ।

ଆଜ୍ଞ ହେଉ ପିଅର ।

ବାଳକୃଷ୍ଣ ବୋଲେ ବିଳମ୍ବ ନ କର । ୨ ।

ଦଶରଥ-

ଗୀତ

କାହିଁ ଛାଡ଼ିଯିବୁ ଧନ ମୋ ରଙ୍କ ରତନ ରେ ।

ଏ ଅଯୋଧ୍ୟା ପୁରୀ ଆଜିଠାରୁ ହେଲା ଶୂନ୍ୟ ରେ । ୧ ।

ଗିରିଗୁହା ଲତାରଣ୍ୟ ନଦୀ ସରୋବର ରେ ।

କେମନ୍ତେ ଭ୍ରମିବୁ ବାପ କାହା ସଙ୍ଗତ ରେ । ୨ ।

 

 

ରାମ-

ପିତା । କାନକୀ ଓ ଲକ୍ଷ୍ମଣ ମୋ ସହିତ ଅତି ଜଞ୍ଜାଳ କରିବାରୁ ତାଙ୍କ କଥାରେ ସମ୍ମତି ପ୍ରଦାନ କରି ସଙ୍ଗରେ ଆଣିଛି ।

ରାଜା-

ଗୀତ

ଅଭାଗା ମୁଁ ହୀନକର୍ମା ହେଲି ତୁମ୍ଭ ଦ୍ରୋହୀ ।

ଶୂନ୍ୟ କରିଗଲୁ କୋଳ ବାଳକୃଷ୍ଣ କହି ରେ । ୩ ।

 

ଦୂତ ! ସୁମନ୍ତ୍ରଙ୍କୁ କହ ସେ ଚୌଦବର୍ଷ ନିମିତ୍ତ ଖାଦ୍ୟ ପରିଧେୟ ସହିତ ରଥରେ ବସାଇ ପଶ୍ଚିମାରଣ୍ୟରେ ନେଇ ଛାଡ଼ି ଭରତକୁ ଅଚିରେ ମାତୁଳ ଗୃହରୁ ଆଣି ତାର ପିଶାଚିନୀ ମାତା ନିକଟରେ ଦେଉ । ସେ ତାକୁ ନେଇ ସୁଖରେ ଏ ବିପୁଳ ରାଜ୍ୟ ଐଶ୍ୱର୍ଯ୍ୟ ଭୋଗ କରୁ ।

 

( ରାମ, ଲକ୍ଷ୍ମଣ ଓ ସୀତା, ଦଶରଥ, କୌଶଲ୍ୟା, କୈକେୟୀ ଓ ସୁମିତ୍ରାଙ୍କ ଚରଣ ବନ୍ଦନକରି ଜଟା କୌପୁନୀ ଧାରଣ କରି ପ୍ରସ୍ଥାନ )

 

————————

 

ତୃତୀୟ ଦୃଶ୍ୟ

 

(ସୁମନ୍ତ୍ର ରଥ ବାହିବା, ରଥପରେ ରାମ, ଲକ୍ଷ୍ମଣ ଓ ସୀତା, ଗ୍ରାମବାସୀଗଣ କୋଳାହଳ କରି ପଶ୍ଚାଦ୍ଧାବନ)

ଗ୍ରାମବାସୀ-

ଭାଇମାନେ ଚାଲ, ଆଉ ଏ ଶ୍ରୀହୀନ ଅଯୋଧ୍ୟାରେ ରହିବା ଦର୍କାର କଣ ? ଦେଖୁଛ ତ ରକ୍ଷକ ଏବେ ଭକ୍ଷକ ପାଲଟି ଛାର ପୋଇଲୀ ମାଇପଟା କଥାରେ ପଡ଼ି ଏପରି ଗୁଣଗ୍ରାହୀ ପୁଅଟାକୁ ବଣକୁ ପଠାଉଛି ।

 

 

ଅନ୍ୟ-

ହେ ହେ ଭାଇ ! ମୋର ସେମିତି ମାଇପଟା ଥାନ୍ତା କି ଠିଆଚିତା ଘିନନ୍ତିଣି ପରା, ମାତ୍ର ବଡ଼ ବଡ଼ ଘରର ନ୍ୟାୟ ସେଇଆ ।

 

 

ସମସ୍ତେ-

ହେ ସୁମନ୍ତ୍ର ମନ୍ତ୍ରି ! ତୁମ୍ଭେ କି ଏଡ଼େ ଅବିବେକ ହେଲ । କଥାରେ ଅଛି ପରା ‘ଅବୁଝା ରଜାକୁ ପାଳବିଣ୍ଡା ମନ୍ତ୍ରୀ ! ତୁମ୍ଭର କଣ ଏଇ ଅକଲ । ଛୁଆଦିଟାକୁ ନେଇ ଯାଆନା । ରହ, ରହ, ରଥ ଧୀର କର, ଆମ୍ଭେମାନେ ଆମ୍ଭ ଦେଶର ପୂର୍ଣ୍ଣ ଶଶିଙ୍କୁ ଦେଖୁ । ଆଉ ଅଯୋଧ୍ୟାକାଶରେ ଶଶଧର ଉଦେ ନାହିଁ, ଚତୁର୍ଦ୍ଦିଗ ତମସାଚ୍ଛନ୍ନ, ଘୋର ଘନଘଟା କାଳିମାମୟ ।

 

( ରଥ ପଛେ ପଛେ ଧାଇଁବା )

 

 

ରାମ-

ସୀତେ ! ମୋ ପ୍ରତି କର୍ଣ୍ଣପାତ କର, ଦେଖ ବନବାସରେ ଯେତେବେଳେ ଯେପରି ଚଳିବାକୁ ଆଦେଶ ହେବ, ସେହିପରି ଚଳିବାକୁ ପଡ଼ିବ ?

ସୀତା-

ନାଥ ! ତେବେ କଣ ପ୍ରତିପାଳିବାକୁ ପଡ଼ିବ ?

ରାମ-

ଗୀତ

ବନଜ-ନୟନା ଘନ ଜଘନାରେ

ଗହନ କାନନେ ହେଲୁ ବାଇ ।

ବନେ ବନଚର ଦେଖି ରାମାବର

କାତରେ ଛନକା ହେବୁ ନାହିଁ ।

ବନଜାତ ଦ୍ରବ୍ୟ ନ କରିବୁ ଭାବ

ବଳାଇ ଅଭାବ ଦେବୁ ନାହିଁ ।

 

ସଖି ! ରାଜ ଅଭିଳାଷ ସବୁ ପାସୋରି ପକାଇବାକୁ ପଡ଼ିବ, ପୁଣି ବନରେ ହିଂସ୍ର ଜନ୍ତୁ ଅଛନ୍ତି । କୌଣସି ଭୟ କରିବ ନାହିଁ ବା କୌଣସି ଅପୂର୍ବ ଜିନିଷକୁ ଆଶା ବଳାଇ ଜଞ୍ଜାଳ କରିବ ନାହିଁ ।

 

( ଗୀତ )

ବେନି ସହୋଦର            ମଧ୍ୟରେ ତୁ କର

ବେଢ଼ାଇ ମୋ କର ଥିବୁ ରହି,

ବୃଷ ମୂଳେ ବସି            କଟାଇବୁ ନିଶି

ଅଦୃଷ୍ଟଟି ବାଳକୃଷ୍ଣ କହି ।

 

ସଖି ! ନାନା କଷ୍ଟ ସତ୍ତ୍ୱେ ବେନି ସହୋଦରଙ୍କ ମଧ୍ୟରୁ କେବେ ହେଲେ ଅନ୍ତର ହେବୁନାହିଁ ।

 

 

————————

 

କ୍ରୋଡ଼ ଦୃଶ୍ୟ

(ଜନୈକ ନାଗରିକ ଓ ତାର ପତ୍ନୀର ପ୍ରବେଶ)

(ଡୁଏଟ)

ପୁ-

ଆ ଆ ଚମ୍ପାବୋଉ ଆରେ ।

ସ୍ତ୍ରୀ-

କିରେ କଅଣ ଖଣ୍ଡିଆ କହ ରେ ।

 

 

ପୁ-

ଆଲୋ ଦାଣ୍ଡରେ ପଡ଼ିଛି ଚହଳ ।

ସ୍ତ୍ରୀ-

ପରା ଅଭିଷେକ ଲୋକ ଗହଳ ।

 

 

ପୁ-

ବହଳ ମୁଁ ସଅଳେ ଖାଇ ବସିଛୁ ଜାଣିବୁ କିଆଁରେ । ୧ ।

ପୁ-

ଅଯୋଧ୍ୟାର ଶିରୀ ଗଲା ରେ

 

 

ସ୍ତ୍ରୀ-

କିରେ କଅଣ ଖଣ୍ଡିଆ ହେଲା ରେ

ପୁ-

ରାମ ଗଲେ ବନବାସ ରେ,

 

 

ସ୍ତ୍ରୀ-

ତୋ କଥାକୁ ମାଡ଼େ (ମୋତେ) ହସ ରେ ।

ପୁ-

ନୁହେ ଲୋ କ୍ଷାସ ମନ୍ଦ ଭବିଷ୍ୟ କହିବାଟି ଆଉ କାହାରେ ।

 

 

ପୁ-

ଗୋଡ଼ାଇ କହିବା ରାମରେ

ସ୍ତ୍ରୀ-

କି ହେବ ବିଧାତା ବାମରେ,

 

 

ପୁ-

କି ଯଶ ଲଭିଲା ବିମାତା

ସ୍ତ୍ରୀ-

(ଆରେ ସେତ) କନିଆଁ ମାଇପ ଅହନ୍ତା,

ସ୍ତ୍ରୀ-

ବାଳିର ଚିନ୍ତା ଏ ଦୁଃଖ କଥା ଜଗଦୀଶ ହେଉ ସାହାରେ ।

 

(ଯଇ ପ୍ରବେଶ)

 

 

ରାମ-

ଗୀତ

ଥାଅ ହେ ନଗରବାସୀ ହସି ଦିଅ ମେଲାଣି ।

ସବୁ ସୁଖ ସବୁ ଦୁଃଖ ପୋଡ଼ି ଜାଳି ଦେଲାଣି । ୧ ।

 

ପ୍ରଜାବୃନ୍ଦ ! ତୁମ୍ଭେମାନେ ଆଉ ଏ ଅଭାଗା ସହିତ ପଥକଷ୍ଟ କରି କାହିଁକି ଆସି ଦୁଃଖର ସୀମା ବଢ଼ାଉଛ ? ସମସ୍ତେ ଅଧୈର୍ଯ୍ୟ ନ ହୋଇ ଇଚ୍ଛାସୁଖେ ସ୍ୱ ସ୍ୱ ଗୃହେ ପ୍ରତ୍ୟାବର୍ତ୍ତନ କର ।

 

ଗୀତ

କରମ କଥାକୁ କେବା କରିପାରେ ଆନ ।

ଦୁଃଖ ସୁଖ ଦୁଇ ମୁଣ୍ଡେ ସଂସାର ଚଳନ । ୧ ।

 

ଆପଣମାନେ ବୃଥାଟାରେ ମଝିଆଁ ମା ଓ ପିତାଙ୍କୁ ନିନ୍ଦା ଦେଉଛ ସିନା, ତାଙ୍କର ଏଥିରେ ଲବେ ମାତ୍ର ଦୋଷ ନାହିଁ । ଏହା ମୋର କର୍ମ ଦୋଷ ।

 

 

 

ଗୀତ

ଅସାର ସଂସାରେ ସାର ଏକା ହରିନାମ ।

କେବା ମାତା କେବା ପିତା ଆତ୍ମୀୟ ସ୍ଵଜନ । ୩ ।

 

ଏ ସଂସାରରେ କେହି କାହାର ନୁହନ୍ତି । ଆସିଛ ଏକା, ଯିବ ଏକା । କେହି ଏଠାରୁ କିଛି ନେଇ ନାହିଁ, କି ନେବ ନାହିଁ । ତେବେ ମାୟା, ଯେଉଁ କୃପାଟିକ ଆପଣମାନେ ମୋଠାରେ ଅର୍ପଣ କରିଛନ୍ତି, କୃତାଜ୍ଞଳିପୁଟେ ମୁଁ ଭିକ୍ଷା କରୁଛି, ଆପଣମାନେ ଅଯୋଧ୍ୟାରେ ମୋର କନିଷ୍ଠ ଭ୍ରାତା ପ୍ରତି ସେହିଟିକ ପ୍ରଦର୍ଶନ କରନ୍ତୁ, ଏହାହିଁ ପ୍ରାର୍ଥନା ।

 

 

ଗ୍ରାମବାସୀ-

ରାଜକୁମାର, ଆପଣ ଯେଉଁଠାରେ, ଆମ୍ଭର ଅଯୋଧ୍ୟା ସେହିଠାରେ, ଆପଣଙ୍କୁ ଛାଡ଼ି କୁଆଡ଼େ ଯିବୁ ?

 

 

ରାମ-

ଗୀତ

କଲ୍ୟାଣ କରନ୍ତୁ ସର୍ବେ ବିଜ୍ଞ ସଭ୍ୟବୃନ୍ଦ ।

ଦୀନ ବାଳକୃଷ୍ଣ ତବ ଲୋଡ଼େ ଆଶୀର୍ବାଦ । ୪ ।

 

ଭାଇମାନେ ! ହଉ, ତୁମ୍ଭେମାନେ ଆଶୀର୍ବାଦ କର, ମୁଁ ଶୀଘ୍ର ବନରୁ ପ୍ରତ୍ୟାଗମନ କରେ । ବର୍ତ୍ତମାନ ପଥଶ୍ରମ ଏହିଠାରୁ ଦୂରୀକରଣ କର, ରାତ୍ର ପାହିଲେ ସମସ୍ତେ ଯିବା ।

 

 

ଗ୍ରାମବାସୀ-

ବାଃ, ବାଃ ଜୟ ରାମଚନ୍ଦ୍ରଙ୍କର ଜୟ ।

 

(ନିଜ ନିଜ ଖାଦ୍ୟ ସଂଗ୍ରହ କରି ଶୋଇପଡ଼ିବା)

 

————————

 

ଚତୁର୍ଥ ଦୃଶ୍ୟ

( ସମସ୍ତଙ୍କୁ ନିଦ୍ରାଭିଭୂତ ଦେଖି ରାମଚନ୍ଦ୍ର ସୁମନ୍ତ୍ରକୁ ଉଠାଇ )

ରାମ-

ସୁମନ୍ତ୍ର ! ଶୀଘ୍ର ରଥ ବାହିନେଇ ସରଯୂ କୂଳରେ ଆମମାନଙ୍କୁ ଛାଡ଼ିଆସ । ପ୍ରଜାମାନେ ଯେପରି ନ ଜାଣନ୍ତି । ଯଦି ସେମାନେ ଜାଣନ୍ତି, ମୋ ପିତୃ ସତ୍ୟ ପ୍ରତି ବାଧା ଘଟିବ । ଶୀଘ୍ର ଚଳାଅ । ମନ୍ତ୍ରୀନ୍‌ ! ଆପଣ ଏହିଠାରୁ ସ୍ୟନ୍ଦନ ଫେରନ୍ତୁ, ଆମ୍ଭେ ଏଣିକି ପଦଗାମୀ ହୋଇ ନଦୀ ପାରହେବୁ । ଆପଣଙ୍କୁ ଆମ୍ଭର ପ୍ରଣାମ । ପିତା ମାତାଙ୍କ ସମସ୍ତ ଭାର ଆପଣ ଜାଣନ୍ତି ।

 

(ଗୁହ୍ୟକ ଶବର ପ୍ରବେଶ)

ଗୁହ୍ୟକ-

ଗୀତ

କହ ବାପଧନ            କାହାର ନନ୍ଦନ

କିପାଇଁ ଭ୍ରମୁ କାନନ

ଦିବ୍ୟ ରାମା ପାଶେ            ଭ୍ରମୁ କି ଉଦ୍ଦେଶ୍ୟେ

ସନ୍ଦେହ କର ମୋଚନ ।

ଦୟା ବହି ଏଥର

ନାମ ଗ୍ରାମ ପ୍ରକାଶ ତୋହର ।

 

ହୈରେ ବାପ ! ଏ ଘୋର ଜଙ୍ଗଲରେ ତୁଇ ଗୁଟେ ପିଲା ଆଉ ଗୁଟେ ସ୍ତିରୀଧରି ଏ ନିଶାକାଳରେ କିସ କାରଣେ ବୁଲୁଛୁ । ତୁଇ କେ ଅଛୁ, ତୋର ଘର କେଇଟି, ତୋର ବାପର ନାମ କଣ ଅଛି । ତୋର ସାଥିରେ ଏମାନେ କେ ଅଛନ୍ତି । ସବୁ କହିତେ ହବ-। ତା ନ ହେଲେ ଆମେ ତୋତେ ଏଇ ଶର ମୁନାରେ ନାଛି ଦବାର ଅଛି ।

 

 

ରାମ-

ଗୀତ

ଶୁଣ ରେ ଶବର            ଅଯୋଧ୍ୟା ଦେଶର

ଦଶରଥଙ୍କ ନନ୍ଦନ ।

ରାମଚନ୍ଦ୍ର ନାମ            ସାନୁଜ ଲକ୍ଷ୍ମଣ

ଏ ତ ସୀତାଦେବୀ ସଙ୍ଗତର ।

ପିତା ସତ୍ୟ ପାଳିଣ ।

ବନବାସେ ଯାଉଅଛୁ ତିନି ଜଣ । ୨ ।

 

ଶବର ! ମୁଁ ସତ କହୁଛି, ମୁଁ ଅଯୋଧ୍ୟା ଦେଶ ରାଜା ଦଶରଥଙ୍କର ଜ୍ୟେଷ୍ଠସୁତ ରାମଚନ୍ଦ୍ର, ଏ ମୋର ସ୍ତ୍ରୀ ଓ କନିଷ୍ଠ ଭାଇ ଲକ୍ଷ୍ମଣ ।

 

 

ଗୁହ୍ୟକ-

ଆଁ, ଆଁ, ତୁଇ ଦଶରଥ ପୁଅ ରାମ ଅଛୁ । ଏ ମୋର ବୋଉ ଜନକ ରାଜା ଝିଅ ଅଛି । ଆରେ ତୁଇ ତ ବଡ଼ଲୁକ ଅଛୁ । ଶିକାର ଖେଳିବାକୁ ଆଇଲୁ ତ ଆଇଲୁ, ଏ ପିଲା ମାଇକିନା କେନେ ଆନିଲୁ ରେ ?

ରାମ-

ଶବର ! ମୁଁ ଶିକାର କରି ଆସି ନାହିଁ । ପିତୃ ସତ୍ୟ ପାଳି ଚଉଦ ବର୍ଷପାଇଁ ଭାଇ ଭାର୍ଯ୍ୟା ଘେନି ବନବାସ ଆସିଛି ।

ଗୁହ୍ୟକ-ବାପା, ତୋର କାରଠେଇ ସତ୍ୟ କରି ତୋକେ ବନକୁ ପଠେଇଲା ରେ ।

 

 

ରାମ-

ଗୀତ

ମାତା କଇକେୟୀ            ଜନକେ ମନାଇ

ମାଗି ଘେନିଛନ୍ତି ବର ।

ଭ୍ରତ ରାଜା ହେଉ            ରାମ ବନେ ଯାଉ

ଭାଇ ଭାର୍ଯ୍ୟା ଘେନି ସଙ୍ଗତର ।

ଚୌଦବର୍ଷ ପାଇଁ,

ତେଜି ଅଇଲି ଅଯୋଧ୍ୟା ଭୁଇଁ ।

ଗୁହ୍ୟକ-

କିଟା କହୁଛୁ ରେ ବାପା । ଦଶରଥ ବୁଢ଼ା ହବାରୁ ତାର ମୁଣ୍ଡ ଖାରାପ ଏମିତି ହଇ ଗଲାନି ଯେ, ମାଇକିନା କଥାରେ ତୋତେ ତଡ଼ିଦେଲା ।

 

 

 

ଗୀତ

ମୁଁ ଗୁହ୍ୟ ଶବର            ମିତ୍ର ତୋ ପିତାର

ଏ ବନେ ଆଶ୍ରମ ଅଛି ମୋର

ବହୁ ପୁଣ୍ୟବଳେ            ଦେଖିଲି ତୁମ୍ଭରେ

ପୁନଃ, କରାଇବି ତୋତେ ରାଜ୍ୟେଶ୍ୱର ।

ଅଯୋଧ୍ୟା ମଧ୍ୟର

ହୋଇ ଅଛି ବଡ଼ ଅବିଚାର । ୪ ।

 

ବାପ ! ତୋର ବାପର ଏ ବିଚାର ଠକ୍‌ ନାଇ ହୋଇଛି । ଚାଲ, ମୁଁ ତୋକେ ଫିନ ସେଇ ଅଯୋଧ୍ୟାର ରାଜା କରାଇବି ।

ରାମ-

ଶବର ! ଆମ୍ଭମାନଙ୍କର ପ୍ରଣାମ ଗ୍ରହଣ କରନ୍ତୁ, ମାତ୍ର ଆମ୍ଭେମାନେ କଦାପି ଫେରିବୁଁ ନାହିଁ ।

ଗୁହ୍ୟକ-

ଚାଲ, ଚାଲ, ଏ କିଟା କହୁଛୁ; ମୁଇଁ ସାଥିରେ ଯିବି, କିଏ କି କହିବ ଦେଖିବି ଚାଲ, ଚାଲ ।

 

 

ରାମ-

ଶବର ! ନ ବଳାନ୍ତୁ ବୃଥା, ସିନ୍ଧୁଗାମୀ ସ୍ରୋତ ଯଦି ଉଜାଣି ବହିବ, ରୁକ୍ମୁଣୀଦେବୀଙ୍କ ରଥ ଯଦି ଲେଉଟ ପଡ଼ିବ, ରାମର ପିତୃ ଆଦେଶ ପାଳନ ନିଶ୍ଚେ ବ୍ୟର୍ଥ ହେବ ।

ଗୁହ୍ୟକ-

ହଉ ଯଦି ଫିରି ନାଇଯିବୁ ତ ଚାଲ, ଆଜକେ ଆମ କୁଡ଼ିଆରେ ରହି ସକାଳକେ ଜେନେ ଇଚ୍ଛା ତେନେ ଯିବୁ ।

ରାମ-

ହଉ ଚାଲନ୍ତୁ ।

 

(ଗୀତ)

ଯାଅ ହେ ସୁମନ୍ତ୍ର            ପ୍ରବୋଧିବ ତାତ

ମାତ ଅଛନ୍ତି ମୂର୍ଚ୍ଛିତ,

ମୋ ଆସିବା ଯାଏ            ପାଳ ପରଜାଏ

ଯେମନ୍ତେ ନ ଘଟେ ବାଧାବିଘ୍ନ

ବାଳକୃଷ୍ଣ ରଚନ

ପ୍ରାତେ ଗମିଲେ ଭରଦ୍ୱାଜ ଆଶ୍ରମ । ୫ ।

( ସୁମନ୍ତ୍ରଙ୍କର ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ )

 

 

ସୁମନ୍ତ୍ର-

ମହାରାଜ ! ତବାଦେଶେ ନେଇ ତିନିଜଣେ ଛାଡ଼ିଲି ମୁଁ ସରଯୂ ନିକଟେ । ପଥେ ପ୍ରଜେଗଣେ କଲେ ବହୁ ଅଳି, ନାସ୍ତି ବିନା ଅସ୍ତି କେବେ ନ ଧରିଲେ ତୁଣ୍ଡେ । ପୁଣି ତମସା ନିକଟେ ଭେଟିଲେ ଗୁହ୍ୟକ । ଯଥାସାଧ୍ୟେ ବୁଝାଇଲେ ସେହୁ, ଅଟଳ ଯେଣୁ ସେ ତବ ସତ୍ୟରକ୍ଷା ଅର୍ଥେ, ନାସ୍ତିକରି ଗମିଲେଣି ଭରଦ୍ୱାଜ ଆଶ୍ରମକୁ । କହିଛନ୍ତି ପ୍ରବୋଧିବ ତାତ ମୋତେ, ନ ଗଞ୍ଜିବେ କଦାପି ସେ ମଝିଆ ମାଆଙ୍କୁ । ନାହିଁ ତାଙ୍କ ଲବେ ମାତ୍ର ଦୋଷ ଏଥି, ଯେଣୁ ଏହା କର୍ମର ଲିଖନ ।

ଦଶ-

ବୁଝିଲିଣି ମନ୍ତ୍ରି ! ଏଇ ଦେଖ ଶୂନ୍ୟେ ଆସେ ପୁଷ୍ପକବିମାନ ନେବାପାଇଁ ମୋତେ, ଅନ୍ଧକମୁନିର ଶାପେ ନ ପାରିଲି ପୁତ୍ର ମୁଖ ହେରି । ଓଃ, ପ୍ରାଣ-ଗଲା ପ୍ରାଣ-ଗଲା । ରା-ମ-ହା-ରାମ ।

 

( ମୃତ୍ୟୁ, ରାଣୀଗଣଙ୍କର ଶୋକ )

ସୁମନ୍ତ୍ର-

ରାଜ୍ଞି । ଆପଣମାନେ କ୍ରୋଧ ଶାନ୍ତ କରନ୍ତୁ, ବର୍ତ୍ତମାନ ଚାର ଭ୍ରତଙ୍କ ନିକଟ ଯାଇଛି, ଭ୍ରତ ଫେରିଲେ ସତ୍କାରାଦି କାର୍ଯ୍ୟ ହେବ । ବର୍ତ୍ତମାନ ରାଜାଙ୍କୁ ତୈଳ ଦ୍ରୋଣୀରେ ରଖାଯାଉ ।

 

(ତଥାକରଣ)

 

————————

 

ଷଷ୍ଠ ଦୃଶ୍ୟ

ଭରତ-

ଦୂତ ! ଶୂନ୍ୟ ବେଳାଭୂମି ପ୍ରାୟ ଦିଶେ କିମ୍ପା ଆଜି ଅଯୋଧ୍ୟା ପ୍ରାଙ୍ଗଣ, କି ବିଷାଦେ ବିଷାଦିତ ସାରା ନଗ୍ରଯାକ, ପୁଣି ହାହାକାର ରବ ସଙ୍ଗେ କ୍ରନ୍ଦନର ରୋଳ ।

 

 

ଦୂତ-

ପ୍ରଭୁ ! ଅଯୋଧ୍ୟାରୁ ଦିନକର ନାଥ, ହୁଅନ୍ତେ ଅନ୍ତର, ଅସ୍ତମିତ ହୋଇଛନ୍ତି ପୂର୍ଣ୍ଣ ଶଶଧର । ଏକମାତ୍ର ତାରା ଉଦିତ ହେବାକୁ ଛନ୍ତି ଛାମୁ ଅଯୋଧ୍ୟା ଆକାଶେ ।

 

 

ଭରତ-

କି କହିଲୁ ଦୂତ, ପିତା କଣ ତେବେ ମୃତ ।

ଦୂତ-

ଆଜ୍ଞା, ହଁ ।

 

 

ଭରତ-

ଭ୍ରାତ ତେବେ କଣ ନାହାନ୍ତି ?

ଦୂତ-

ନିର୍ବାସିତ ସେହୁ । ଲକ୍ଷ୍ମଣ ଓ ସୀତା ସହିତରେ ଚତୁର୍ଦ୍ଦଶ ବର୍ଷ ନିମିତ୍ତ ଦଣ୍ଡକ ଅରଣ୍ୟେ ।

 

 

ଭରତ-

ବାହକ ! ବାହ ଶୀଘ୍ର ରଥ ଦେଖେ କାହିଁଅଛି ସେହି ପାପିୟସୀ, ଲୁଚି ଜମ୍ବୁକ ପରାୟ ସିଂହର ଉଆସେ ।

 

ଗୀତ

ହାଇରେ ମନ୍ଦ ବିଧାତା ! କିପାଁ ଛନ୍ଦ କଲୁ ରେ

ଅକଳଙ୍କ ସୂର୍ଯ୍ୟବଂଶେ କାଳି ଲେପି ଦେଲୁ ରେ । ଘୋଷା ।

(ପ୍ରବେଶି ଜନନୀର କେଶ ଆକର୍ଷଣ ପୂର୍ବକ)

 

ଗୀତ

କାଳସର୍ପିଣୀ ଜନନୀ !      ହେଲୁ ତୁ ଏଡ଼େ କୁଜ୍ଞାନୀ

ଯା ଲାଗି କାନ୍ଦେ ଅବନୀ ତାରେ ଦ୍ୱନ୍ଦ କଲୁ ରେ । ୧ ।

 

ଲୋ ପାପିୟସୀ, ଦୁଷ୍ଟା ଦୁରାଚାରୀ ନଷ୍ଟା, ଜାଣିଲିଣି ଅଟୁ ତୁହି ଦୁଗ୍‌ଧ ପୋଷ୍ୟ କାଳଭୁଜଙ୍ଗିନୀ । ରହି ରହି କୋଳେ, ଦଂଶି ଲେପିଦେଲୁ ଅକଳଙ୍କ ସୂର୍ଯ୍ୟବଂଶେ କାଳିମାପସରା । ନୋହିଥାନ୍ତୁ ଯେବେ, ଗର୍ଭଧାରିଣୀ ଜନନୀ ମୋହର, ଦେଖନ୍ତୁ କି ପରାଭବ ପାଆନ୍ତୁ ଏକ୍ଷଣି ।

 

 

କୈକେୟୀ-

ବାପ ! ତୋରି ନିମିତ୍ତ ଏ ସମସ୍ତ କାଣ୍ଡ, ରାମ ବନକୁ ଗଲା, ତୁ ଏବେ ନିଷ୍କଣ୍ଟକ ଅଯୋଧ୍ୟା କଟକ ଭୋଗକର ।

ଭରତ-

କି ସାହସେ କହୁ ଲୋ ପାମରୀ, ନିର୍ଦ୍ୱନ୍ଦରେ ହେବି ରାଜା ଅଯୋଧ୍ୟା କଟକେ-। ହେଲୁ ବୋଲି ଭାବିଛୁ କି ରାଜମାତା ତୁହି ? ବୃଥା ଆଶ ତୋର । ନୋହି ରାଜମାତା,ହେବୁ ନିଶ୍ଚେ ପଥ ଭିକାରୁଣୀ ।

 

 

 

ଗୀତ

ନେଲୁ ତୁ ଜନକ ପ୍ରାଣ ଭ୍ରାତାରେ ଦେଲୁ କଷଣ ।

ବାଳକୃଷ୍ଣ ବୋଲେ ଶୂନ୍ୟ ଅଯୋଧ୍ୟା କଲୁ ରେ । ୨ ।

 

ଲୋ ପାପିଷ୍ଠୀ,ତୋ ଯୋଗେ ମୋର ଦେବୋପମ ଭାଇ କି ଓ ମାତାତୁଲ୍ୟ ଭାଉଜଙ୍କୁ ଏବଂ ପରମାରାଧ୍ୟ ପିତୃଦେବଙ୍କୁ ହରାଇଛି । ତୁ ପାଷାଣ୍ଡୀ ଥାଇ କିବା ପ୍ରୟୋଜନ । ମାରି ତୋତେ ସ୍ୱୟଂ ହସ୍ତେ ପିତୃଶ୍ରାଦ୍ଧ ଆଚରିବି ତୋର ରକ୍ତେ । (ମାରିବାକୁ ଉଦ୍ୟତ ହେବା ସମୟେ କୌଶଲ୍ୟାଙ୍କ ପ୍ରବେଶ, ଭରତର ଅଭିବାଦନ)

କୌଶଲ୍ୟା-

ଏ କି କାଣ୍ଡ ବତ୍ସ ! ନ କର ତୁ ତାହା ସର୍ବୋପରି ମାତୃପରା ସେହୁ, ନ ମଣ ତୁ ଭିନ୍ନାଭିନ୍ନ ତାହା ମୋହ ତହିଁ । ବିଧିର ବିଧାନେ ସେହୁ ଯାଇଅଛି ବନେ । ନୁହେ ଏହୁ ଦୋଷୀ, ( କୈକେୟୀକୁ ଛଡ଼ାଇ ନେଇ ନିଜ ଅନ୍ତଃପୁରରେ ଲୁଚାଇ ରଖିବା । କୌଶଲ୍ୟା ପ୍ରତି ଭ୍ରତ)

ଭରତ-

ମାତା ! ହୃଷ୍ଟଚିତ୍ତେ ଦିଅନ୍ତୁ ମେଲାଣି, ଗମିବି ମୁଁ ଶ୍ରୀରାମ ଉଦ୍ଦେଶ୍ୟେ । କଳେ ବଳେ କଉଶଳେ ଯେ କେନେଉପାୟେ ଫେରାଇ ଆଣିବି ନିଶ୍ଚେ ଭାଇଙ୍କୁ ବନରୁ । ଦଣ୍ଡଛତ୍ର ଧରାଇବି ତାହାଙ୍କ ମସ୍ତକେ, ଅନୁବ୍ରତେ ସେବିବି ପୟର ।

କୌଶଲ୍ୟା-

[ ସ୍ୱଗତ ] ଧନ୍ୟବତ୍ସ ! ଧନ୍ୟ ତୋର ପିତା ମାତା, ଧନ୍ୟ ଭ୍ରାତୃଭକ୍ତି । ଭିନ୍ନାଭିନ୍ନ ରାମର, ଭ୍ରତର ପୁଣି ସୁମିତ୍ରା ନନ୍ଦନେ । ଏକବ୍ରହ୍ମ ଚତୁର୍ଦ୍ଧା ରୂପେ କି ମଣ୍ଡିଅଛ ଅଯୋଧ୍ୟା ଭୂଖଣ୍ଡ । (ପ୍ରକାଶ୍ୟେ) ଯାଅ ବତ୍ସ ଆଣ ଶୀଘ୍ର, ଫେରାଇ ଭାଇ ଭାଉଜଙ୍କୁ ବନୁଁ ।

 

[ ମେଲାଣି ଘେନି ପ୍ରସ୍ଥାନ ]

 

ସପ୍ତମ ଦୃଶ୍ୟ

( ଚିତ୍ରକୂଟରେ ରାମ, ଲକ୍ଷ୍ମଣ ଓ ସୀତା )

ରାମ-

ବାବୁ ସୌମିତ୍ରୀ ଶୃଙ୍ଗୋପରି ଅଛି ଏ ଯେଉଁ ଦୀର୍ଘ ଶାଳ ତରୁ, ଚଢ଼ି ତହିଁପରେ ଦେଖ, ଅଦୂରରେ ଶୁଭେ ଏ କି ଜନ କୋଳାହଳ । କେତେ ଦୂରେ ଛନ୍ତି ସେହୁ, ପୁଣି କି କାରଣେ, ଚାହିଁଲେ ଦିଶିବ ତହିଁ ଅଯୋଧ୍ୟା ପର୍ଯ୍ୟନ୍ତ ।

 

 

ସୀତା-

ନାଥ ! ଅନ୍ତର ମୋ ମୁହୁଃର୍ମୂହୁ କାନ୍ଦି ଉଠେ କିମ୍ପା । ମୋ ଶାଶୁ ଶ୍ୱଶୁରେ, ଆସନ୍ତି ସାନୁଜ କିମ୍ପା ଦେଖ ହୋଇ ପ୍ରଜ୍ୱଳିତ ପ୍ରାୟ ।

 

 

ରାମ-

ବାବୁ ! କି ଘଟଣା ଦେଖିଲ ନୟନେ ?

 

 

ଲକ୍ଷ୍ମଣ-

ଅଯୋଧ୍ୟାରେ ହୋଇ ନୃପ, ଆସୁଛି ଦେଖାଇ ଦର୍ପ, ଘେନି ସୈନ୍ୟ ସେନା ସଙ୍ଗତରେ, ରାଜ ବ୍ୟବହାରେ, ଆଜ୍ଞାଦେଲେ ପ୍ରଭୁ ଦେଖନ୍ତି କେଯାଏ ବପୁ ବହିଛି ଅଙ୍ଗରେ ।

 

 

ରାମ-

ଦଣ୍ଡେ ସ୍ଥିର ହୋଇ ରହ ରାଇ, କ୍ରୋଧସମ ଶତ୍ରୁ ନାହିଁ, ତ୍ରିଜଗତେ; ଆସୁ ପାଶେ ଜଣାଯିବ ସବୁ ।

ଭରତ-

(ଦୁରୁ ଦେଖି ସାଷ୍ଟାଙ୍ଗେ ପ୍ରଣିପାତପୂର୍ବକ)

 

ଗୀତ

ହେ ସହୋଦର, ଘେନନ୍ତୁ ଦୟିନୀ ମୋହର ।

ତବ ବିନେ ଶୂନ୍ୟ ଦିଶେ ଅଯୋଧ୍ୟା ନବର । ଘୋଷା ।

ମାତା ହୋଇଲା ଭଗାରି,      ନୁହେ ମୁଁ ଭ୍ରାତ ଅଇରି

ଆସନ୍ତୁ ମୋ ସଙ୍ଗେ ଫେରି ହେବେ ରାଜ୍ୟେଶ୍ୱର । ୧ ।

 

ଭାଇ ! ତବ ବିନେ ଶୂନ୍ୟ ଦିଶେ ଅଯୋଧ୍ୟା କଟକ । ଚାଲ ଫେରି, ସିଂହାସନେ ବସିବ ଏକ୍ଷଣି ।

 

 

ରାମ-

ବାବୁ ରେ ! ନାହିଁ ମୋତେ ବର୍ତ୍ତମାନ, ଅଯୋଧ୍ୟାର ରାଜସିଂହାସନ ଭୋଗଯୋଗ, ପାଳ ରାଜ୍ୟ ଅଳଙ୍କୃତ କରି ସିଂହାସନ, ନବପଞ୍ଚବର୍ଷ ଅନ୍ତେ ଫେରିବି ମୁଁ ନିଶ୍ଚେ ଅଯୋଧ୍ୟା କଟକେ ।

ଭରତ-

ନ ଫେରିବେ ଛାମୁ ଯେବେ ସୀତାସହ, ନ ମଣ୍ଡିବେ ଅଯୋଧ୍ୟାର ରାଜସିଂହାସନ, ନ ଯିବ ଭରତ ତେଜି ଶତ୍ରୁଘ୍ନ ସହିତେ ପୁଣି ଅଯୋଧ୍ୟା କଟକେ, ଝାସଦେବ ନିଶ୍ଚେ ଏହି ସ୍ୱଚ୍ଛ ମନ୍ଦାକିନୀ ନୀରେ ।

 

 

 

ଗୀତ

ତୁମ୍ଭର ବିଚ୍ଛେଦେ ପିତଃ;      ଜୀବନୁ ହୋଇଲେ ହତ

ମୁଁ ଅବା ଥାଇ ଜୀବିତ      କାହିଁ ମୋର ପ୍ରତିକାର । ୨ ।

ପିତା ଆପଣଙ୍କ ବିଚ୍ଛେଦରେ ପରଲୋକ ଗମନ କରିଅଛନ୍ତି, ଅରାଜକ ହୋଇଛି ଅଯୋଧ୍ୟା । ଗତକଥା ନ ଧରିଣ ମନେ, ଚାଲନ୍ତୁ ବହନ ବସି ରାଜସିଂହାସନେ, ଆଜ୍ଞା ଦେଲେ ପିତୃପିଣ୍ଡ ହୋଇବ ସତ୍କାର । ଚାଲ ମାତ, ଚାଲରେ ଲକ୍ଷ୍ମଣ, ଆସିଛି ମୁଁ ନେବାକୁ ଫେରାଇ ।

 

 

ରାମ-

ବାବୁ ରେ ! କିମ୍ପା ମୋତେ ବଳାଉଛୁ ଏତେ, ଜୀବେ ଥିଲେ ମିଳିପାରେ ଲକ୍ଷ ଲକ୍ଷ ରାଜ୍ୟ; ମାତ୍ର ନ ମିଳିବ କେବେ ହେଲେ ପିତା କିବା ପିତୃସତ୍ୟ । ସେ ତ ମୋର ଦୁର୍ଭାଗ୍ୟର କଥା, ଯେ ଅନ୍ତିମ କାଳରେ ତାଙ୍କୁ ନ ପାରିଲି ଦେଖି । ଯାଇ ତୁହି ପ୍ରବୋଧ ମାତାଙ୍କୁ । ପୁଣି ଶୁଣ, ନ ଗଞ୍ଜିବୁ କେବେ ହେଲେ ମଝିଆ ମାଆଙ୍କୁ । ଅଳଙ୍କୃତ କରିଥିବୁ ଅଯୋଧ୍ୟାର ଗାଦି ।

ଭରତ-

ପ୍ରଭୁ ! ସିଂହର ଆସନେ କେବେ ବସିପାରେ କି ଶୃଗାଳ !

 

 

 

ଗୀତ

ଶ୍ରୀଚରଣେ ମିଳୁ ଆଶ୍ରା      ନାହିଁ ମୋ ଆନ ଭରସା ।

ବାଳକୃଷ୍ଣ ବୋଲେ ଆଶା ନ ଭାଙ୍ଗନ୍ତୁଟି ମୋହର । ୩ ।

 

ଭାଇ ! ଏ ଅଧମକୁ ଆପଣଙ୍କ ଶ୍ରୀଚରଣ ତଳେ ଆଶ୍ରୟ ପ୍ରଦାନ କରନ୍ତୁ, ଏହାହିଁ ଭିକ୍ଷା ।

 

 

ରାମ-

ଭାଇ ! ମନୋଗତ ଭାବ ତୋର ଜାଣିଅଛି ମୁହିଁ, ଦୈବବଳଠାରୁ ବଳ ନାହିଁ ପୃଥିବୀରେ । କରିପାରେ ଏକା ସେହି ଦଣ୍ଡକରେ ଧନୀକି ନିର୍ଦ୍ଧନ, ପୁଣି ରାଜାକୁ ଭିକାରୀ । ନୁହ ତୁ ବ୍ୟଥିତ ସେଥିପାଇଁ । କହୁଛି ମୁଁ ପୁଣି, ରାଜନୀତି ଧର୍ମେ ସାମଦଣ୍ଡଭେଦେ ସଦା ପାଳୁଥିବୁ ମହୀ । ଦୋଷୀ ଦଣ୍ଡ ପାଇଁ ଯେପରି କ୍ଷମା ସେ ମାଗିବ ବୁଝି ସୁଝି ସେମାନଙ୍କୁ କ୍ଷମା ଦେଉଥିବୁ ।

 

( ଏକାଳେ ଆକାଶୁ ଦୈବବାଣୀ )

ଧାର୍ମିକ ବିବେକ ଶାନ୍ତ ଦାନ୍ତ ଶିଖର ଭରତ

ଅଯୋଧ୍ୟାକୁ ଶୀଘ୍ର ଫେର ହେ ନିୟତ ।

ରାମ ସତ୍ୟ ଲଘିଂଲେ ଗୌରବେ ଯିବେ ରାଜା,

ଦୁଷ୍ଟ ନାଶି ସନ୍ଥପାଳି ଏହୁ ଉଡ଼ାଇବେ କୀର୍ତ୍ତିଧ୍ୱଜା ।

 

( ଭରତ ଦୈବବାଣୀ ଶୁଣି ରାମଙ୍କଠାରୁ ରତ୍ନପାଦୁକା ନେଇ ନନ୍ଦିଗ୍ରାମରେ ସ୍ଥାପନ କରି ଚୌଦବର୍ଷ କାଳ ରାମଙ୍କ ଅପେକ୍ଷାରେ ରହି ରାଜ୍ୟଶାସନ କରଣ । )

---------